ରାଜ୍ୟରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୨ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଉଭୟଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ନେଇ ଆଇଏଲଏସ ପକ୍ଷରୁ ସୂଚନା ମିଳିଛି । ଦୁହେଁ ନାଇଜେରିଆ ଫେରନ୍ତା ବୋଲି ସୂଚନା ମିଳିଛି । ଏହାପୂର୍ବରୁ ଚିହ୍ନଟ ହୋଇଥିବା ୨ ଜଣ ଓମିକ୍ରନ୍ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଜଗତସିଂହପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ଅଞ୍ଚଳର ଥିଲେ । ଉଭୟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ କାତାରରୁ ଫେରିଥିଲେ । ଉଭୟଙ୍କ ଚିକିତ୍ସା ଚାଲୁଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଏପରିକି ଉଭୟଙ୍କର ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ କରୋନା ପରୀକ୍ଷା କରାଯାଇଛି । ଅନ୍ୟପଟେ ପୁଣି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସର୍ଭିଲାନ୍ସକୁ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଦୈନିକ ୭୦ ହଜାରରୁ ଅଧିକ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ବିଦେଶ ଫେରନ୍ତାଙ୍କ ଉପରେ ତୀକ୍ଷଣ ନଜର ରଖିବେ । ଟିକାକରଣକୁ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଦେଶରେ ବଢୁଥିବା ଓମିକ୍ରନ ସ୍ଥିତିକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ଚାଲିଛି । ଓମିକ୍ରନ ମୁକାବିଲା ନେଇ ବୈଠକରେ ଆଲୋଚନା ହେଉଛି । ବୈଠକରେ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ସ୍ବାସ୍ଥ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି ।