ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହା ଏବେ ବେଶ ଚର୍ଚ୍ଚାରେ। ନିକଟରେ ଏକ ସାକ୍ଷାତକାର ପାଇଁ ଜଣେ ସାମ୍ବାଦିକ ତାଙ୍କୁ ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି | ସାମ୍ବାଦିକ ଜଣକ ଏକ ସାକ୍ଷାତକାର ପାଇଁ ସୋସିଆଲ ମିଡିଆରେ ତାଙ୍କୁ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି | ସାମ୍ବାଦିକଙ୍କ ହ୍ୱାଟ୍ସ ଆପ୍ ବାର୍ତ୍ତାଳାପର ସ୍କ୍ରିନସଟ୍ କୁ ମଧ୍ୟ ସେୟାର କରିଛନ୍ତି ରିଦ୍ଧିମାନ। ରିଦ୍ଧିମାନଙ୍କ ଏହି ଅଭିଯୋଗ ପରେ ବିସିସିଆଇ ଗ୍ରହଣ କରିଛି କଡା କାର୍ଯ୍ୟାନୁଷ୍ଠାନ। ଏହି ମାମଲାରେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ।
ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ବୋର୍ଡ ଏହି ଘଟଣାକୁ ଗୁରୁତର ସହ ନେଇ ମୂଳସ୍ତର ପର୍ଯ୍ୟନ୍ତ ଯାଇ ଅନୁସନ୍ଧାନ କରିବ। ବୋର୍ଡ ସହିତ ଚୁକ୍ତି କରୁଥିବା ସମସ୍ତ ଖେଳାଳୀମାନଙ୍କ ମଧ୍ୟରୁ ସାହା ଅନ୍ୟତମ | ଏଭଳି ପରିସ୍ଥିତିରେ ବୋର୍ଡ ତାର ଖେଳାଳୀଙ୍କୁ ବିପଦ ସମୟରେ ଛାଡିପାରିବ ନାହିଁ |
ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଟୁଇଟ୍ କରି ଖୋଲାଖୋଲି ଭାବେ ରିଦ୍ଧିମାନଙ୍କୁ ସମର୍ଥନ କରିଛନ୍ତି। ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରବି ଶାସ୍ତ୍ରୀ ସୌରଭ ଗାଙ୍ଗୁଲିଙ୍କୁ କହିଛନ୍ତି | ରବିବାର ସନ୍ଧ୍ୟାରେ ରବି ଶାସ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି ଯେ ଜଣେ କ୍ରୀଡାବିତଙ୍କୁ ସାମ୍ବାଦିକ ଧମକ ଦେଉଛନ୍ତି | ଏହା ସାମ୍ବାଦିକ ପଦର ଅପବ୍ୟବହାର | ଟିମ୍ ଇଣ୍ଡିଆ ସହିତ ଏହା କ୍ରମାଗତ ଭାବରେ ଘଟୁଥିବାରୁ ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି |