ଜଳୁଛି ଦେଶର ରାଜଧାନୀ ଦିଲ୍ଲୀ | ସହରର ପାରଦ ଏବେ ୪୫ ଡିଗ୍ରୀ ଛୁଇଁଛି | ପ୍ରବଳ ତାତି ଯୋଗୁ ଘରୁ ବାହାରି ପାରୁନାହାନ୍ତି ରାଜଧାନୀବାସୀ | ଏହି ସମୟରେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ସଭାପତି ସ୍ୱାମୀ ଚକ୍ରବର୍ତ୍ତୀ ମହାରାଜ ଏକ ଅଜବ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ ଦିଲ୍ଲୀର ନାମ ବଦଳାଇ ଦେଲେ ବଦଳିଯିବ ଏଠାର ପାଣିପାଗ । ସ୍ୱାମୀ ଚକ୍ରପାଣି ମହାରାଜ କହିଛନ୍ତି କି ଦିଲ୍ଲୀର ନାମ ବଦଳାଇ ଇନ୍ଦ୍ରପ୍ରସ୍ଥ କରିଦେଲେ ପାଣିପାଗ ସମ୍ପୂର୍ଣ୍ଣ ବଦଳିଯିବ । କାରଣ ଏହି ନାମର ବହୁତ ଗୁରୁତ୍ୱ ରହିଛି । ଯଦି ଦିଲ୍ଲୀର ନାମ ବଦଳା ଯାଇ ଇନ୍ଦ୍ରପ୍ରସ୍ଥ ରଖାଯାଏ, ତେବେ ଏଠାରେ ବର୍ଷା ହେବା ସହ ଦିଲ୍ଲୀବାସୀଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣିଦେବ ।
ମହାରାଜ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଦେଶର ହୃଦୟ ଅର୍ଥାତ୍ ରାଜଧାନୀ ଖୁସି ରହିବ, ସେତେବେଳେ ସମଗ୍ର ଦେଶ ଖୁସିରେ ରହିବ । ସେ କହିଛନ୍ତି କି ଦିଲ୍ଲୀର ନାମକରଣ ହେବା ପଛରେ ବି ଗୋଟେ କାରଣ ରହିଛି | ତୋମର ରାଜବଂଶର ଜଣେ ରାଜା ଥିଲେ, ଯାହାଙ୍କ ରାଜପ୍ରାସାଦକୁ ଜଳ ଯୋଗାଣ ପାଇଁ କରାଯାଇଥିବା ପାଇପ୍ ଢିଲା ଥିଲା | ଏହି କାରଣରୁ ସେ ଏହି ସହର ନାମ ଢ଼ିଲି ରଖିଦେଇଥିଲେ, ଯାହା ପରେ ଦିଲ୍ଲୀ ହେଲା | ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଆମ ଘରେ ଏକ ଶିଶୁ ଜନ୍ମ ହୁଏ, ଆମେ ରୀତିନୀତି ଅନୁଯାୟୀ ତାର ନାମ ରଖୁ | କିନ୍ତୁ ଏଠାରେ ରାଜାଙ୍କର ରାଜପ୍ରାସାଦର ପାଇପ୍ ଢିଲା ହୋଇଗଲା, ତା’ପରେ ଏହା ଢ଼ିଲିରୁ ଦିଲ୍ଲୀରେ ପରିଣତ ହେଲା | ତେଣୁ ଏହାର ନାମ ପରିବର୍ତ୍ତନ କରାଯିବା ଉଚିତ୍ | ଏଥିପାଇଁ ଏକ ଦସ୍ତଖତ ଅଭିଯାନ କରିବା ସହ କେନ୍ଦ୍ର ସରକାରଙ୍କ ନିକଟରେ ରାଜଧାନୀ ଦିଲ୍ଲୀର ନାମ ପରିବର୍ତ୍ତନ ପାଇଁ ସୁପାରିଶ କରାଯିବ ବୋଲି ସେ କହିଛନ୍ତି |