ମଣିଷ ଶରୀରରେ ବାର୍ଡ ଫ୍ଲୁ | ଜଣେ ୪ବର୍ଷର ଶିଶୁଠାରେ ଦେଖାଦେଇଛି H3N8 ଭୂତାଣୁ। ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହୋଇଛି ବାର୍ଡ ଫ୍ଲୁର H3N8 ଭୁତାଣୁ । ଚୀନରେ ହେନାନ ପ୍ରୋଭିନ୍ସରେ ଜଣେ ୪ବର୍ଷର ଶିଶୁଠାରେ ବାର୍ଡ ଫ୍ଲୁର ଏହି ଭୂତାଣୁ ଚିହ୍ନଟ ହୋଇଛି । ଚୀନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଏହି ଭୁତାଣୁ ମଣିଷ ଶରୀର ପାଇଁ ଏତେ ଘାତକ ନୁହେଁ | ଏହା ମଣିଷ ଠାରୁ ମଣିଷକୁ ବ୍ୟାପିବା ନେଇ ଏତେ ସଂକ୍ରାମକ ନୁହେଁ | ତେଣୁ ଏ ନେଇ ଭୟଭୀତ ହେବା ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଚୀନ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଅଧିକାରୀ । ଏନଏଚସି ଅନୁଯାୟୀ, ପିଲାଟି ତାଙ୍କ ଘରେ ପାଳିତ କୁକୁଡ଼ା ଏବଂ କାଉଙ୍କ ସଂସ୍ପର୍ଶରେ ଆସିଥିଲା। ଫଳରେ ତା’ ଶରୀରରେ ଜ୍ୱର ସମେତ ଅନେକ ଲକ୍ଷଣ ଦେଖାଗଲା | ପରେ ପରୀକ୍ଷା କରିବାରୁ ବାର୍ଡ ଫ୍ଲୁ ହୋଇଥିବା ଜଣାପଡ଼ିଥିଲା । ତେବେ ସଂକ୍ରମିତ ବାଳକ ସଂସ୍ପର୍ଶରେ ଆସିଥିବା କେହି ଏଥିରେ ସଂକ୍ରମିତ ହୋଇନଥିବାରୁ ସ୍ୱାସ୍ଥ୍ୟ ବିଭାଗ ଆଶ୍ୱସ୍ତି ପ୍ରକାଶ କରିଛି |
ସ୍ୱାସ୍ଥ୍ୟ ଆୟୋଗ ପକ୍ଷରୁ କୁହାଯାଇଛି ଯେ , H3N8 ଭୁତାଣୁ ପ୍ରଥମେ ଘୋଡା, କୁକୁର ଏବଂ ପକ୍ଷୀମାନଙ୍କଠାରେ ଦେଖିବାକୁ ମିଳିଥିଲା । ମଣିଷ ଶରୀରରେ ବାର୍ଡ ଫ୍ଲୁ ହେବା ନେଇ ପୂର୍ବରୁ କେବେ ରିପୋର୍ଟ ହୋଇନାହିଁ | ମଣିଷ ଶରୀରରେ ବାର୍ଡ ଫ୍ଲୁ ଏହା ପ୍ରଥମ ଘଟଣା ବୋଲି କୁହାଯାଇଛି |