୫ଟି ପର୍ଯ୍ୟାୟରେ ହେବ ନିର୍ବାଚନ; ଆଜିଠୁ ରାଜ୍ୟରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

୫ଟି ପର୍ଯ୍ୟାୟରେ ହେବ ନିର୍ବାଚନ; ଆଜିଠୁ ରାଜ୍ୟରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

Spread this article

ବାଜିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ। ଘୋଷଣା ହେଲା ତାରିଖ । ୫ଟି ପର୍ଯ୍ୟାୟରେ ହେବ ଚଳିତ ପଞ୍ଚାୟତ ନିର୍ବାଚନ । ଆସନ୍ତା ଫେବୃୟାରୀ ୧୬ରୁ ଆରମ୍ଭ ହେବ ଭୋଟ୍ ଗ୍ରହଣ | ଫେବୃୟାରୀ ୧୬, ୧୮, ୨୦ ,୨୨ ଓ ୨୪ରେ ନିଜ ନେତା ବାଛିବେ ଭୋଟର । ସେହିଭଳି ଫେବୃୟାରୀ ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଜିଲ୍ଲା ପରିଷଦ ଓ୍ୱାରି ଗଣତି କରାଯିବ । ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ୧୭ ଜାନୁଆରୀରୁ ୨୧ ଜାନୁଆରୀ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ କରାଯିବ, ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ୨୫ ଜାନୁଆରୀରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ବ୍ଲକସ୍ତରରେ ଭୋଟ ଗଣତି ହେବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ। ଏହାପରେ ଆଜିଠୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ରାଜ୍ୟ ନିର୍ବାଚନ କମିଶନର ଦେଇଥିବା ସୂଚନା ଅନୁଯାୟୀ, ଏଥର ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ହେବ । ଚଳିତ ନିର୍ବାଚନରେ ଭୋଟ୍ ଦେବେ ୨ କୋଟି ୭୯ ଲକ୍ଷ ଭୋଟର୍। ମୋଟ୍ ଓ୍ୱାର୍ଡ ସଂଖ୍ୟା ୯୧,୯୧୩ ଥିବା ବେଳେ ୬୭୯୪ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ପାଇଁ ନିର୍ବାଚନ ହେବ । ୮୫୩ ଜିଲ୍ଲା ପରିଷଦ ଜୋନ୍ ପାଇଁ ମଧ୍ୟ ପଡ଼ିବ ଭୋଟ। ।ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ନିଜ ସଂପତ୍ତି ତାଲିକା, ଅପରାଧ ମାମଲାର ବିବରଣୀ ଦେବେ । ଶିକ୍ଷାଗତ ଯୋଗ୍ୟତା ସତ୍ୟପାଠ ଜରିଆରେ ଦାଖଲ କରିବେ । ଓ୍ୱାର୍ଡମେମ୍ବର ପ୍ରାର୍ଥୀ ସେଲ୍ଫ ଡିକ୍ଲାରେସନ୍ ଜରିଆରେ ଏସବୁ ତଥ୍ୟ ଦେବେ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ପ୍ରାର୍ଥୀ ଜାତିଗତ ସାର୍ଟିଫିକେଟ୍ ଦେବେ । ଏଥିରେ କୌଣସି ପ୍ରାର୍ଥୀଙ୍କ ସତ୍ୟପାଠ ମିଥ୍ୟା ପ୍ରମାଣିତ ହେଲେ ତା’ଙ୍କୁ ଦଣ୍ଡିତ କରାଯିବ। ଅନ୍ୟପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ପଞ୍ଚାୟତ ନିର୍ବାଚନରେ କୋଭିଡ କଟକଣାକୁ କଡାକଡି ପାଳନ କରାଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର । କୋଭିଡ କଟକଣାକୁ ନଜରରେ ରଖି ରୋଡ, ଶୋ’, ସାଇକେଲ, ଯାତ୍ରା, ବାଇକେଲ ରାଲି, ସଭାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

 

ଏନ ଏନ ଏସ ଓଡ଼ିଆ ତାଜା ଖବର ପ୍ରମୁଖ ଖବର ରାଜନୀତି ରାଜ୍ୟ