ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଉତ୍କଟ ପାନୀୟ ଜଳ ସଙ୍କଟ । ମୁନ୍ଦାଏ ପାଣି ପାଇଁ ସଙ୍ଘର୍ଷ କରୁଛନ୍ତି ଲୋକେ । ପାଣି ପାଇଁ ମୁଣ୍ଡଫଟା ଖରାରେ ଚାଲିକି ଯିବାକୁ ପଡୁଛି ଗୋଟେ କିଲୋମିଟର | ଜଙ୍ଗଲ ରାସ୍ତାରେ ଯାଇ ଏକ ଷ୍ଟୋନ କ୍ରସରରୁ ପିଇବା ପାଣି ସଂଗ୍ରହ କରୁଛନ୍ତି ଲୋକେ | ପୁରା ଗାଁ ଲୋକେ ସେହି ଗୋଟିଏ ନଳକୂପ ଉପରେ ନିର୍ଭର କରୁଥିବାରୁ ପାଣି ପାଇଁ ଲମ୍ବା ଲାଇନ | ଏଣେ ଅସହ୍ୟ ଖରା ସାଙ୍ଗକୁ ଜଳକଷ୍ଟ ଯୋଗୁ ହନ୍ତସନ୍ତ ହେଉଛନ୍ତି ଲୋକେ | ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ବଡ଼ପିଛୁଳା ଝିଙ୍କିଘର ସାହି ଅଞ୍ଚଳରେ |
କେନ୍ଦୁଝର ସହରଠାରୁ ମାତ୍ର ୧୬କିମି ଦୂରରେ ଅବସ୍ଥିତ ଏହି ଝିଙ୍କିଘର ସାହି | ଅଞ୍ଚଳରେ ବସବାସ କରନ୍ତି ଅନେକ ଆଦିବାସୀ ସଂପ୍ରଦାୟର ଲୋକେ । ଗ୍ରାମରେ ଥିବା ନଳକୂପଟି ଦୀର୍ଘ ସମୟରୁ ଅଚଳ ହୋଇପଡ଼ିଥିବାରୁ ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ | ଟୋପାଏ ପାଣି ପାଇଁ ଜଙ୍ଗଲ ରାସ୍ତା ଦେଇ ଦୀର୍ଘ ୧ କିଲୋମିଟର ଯିବାକୁ ପଡୁଛି । ଏଥିସହିତ ଗାଁରେ କୌଣସି ପୋଖରୀ ନଥିବାରୁ ବାଧ୍ୟ ହୋଇ କ୍ରସର୍ ଖୋଳିଥିବା ପୋଖରୀକୁ ଗାଧୋଇବା ପାଇଁ ଯାଉଛନ୍ତି ଲୋକେ |
ଏହି ଅଞ୍ଚଳରେ ପାଣି ସମସ୍ୟା ବ୍ୟତୀତ ଗାଁକୁ ଭଲ ରାସ୍ତାଟିଏ ମଧ୍ୟ ନାହିଁ । ଏହି ଦୁର୍ଗମ ଗାଁକୁ ଯିବାକୁ ହେଲେ ଜଙ୍ଗଲ ମଧ୍ୟରେ କଚା ରାସ୍ତା ଦେଇ ବିଲ ହିଡ଼ ଅତିକ୍ରମ କରି ଯିବାକୁ ପଡୁଛି । । ରାସ୍ତା ଶୋଚନୀୟ ଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଆସିପାରୁନି | ଗାଁର ଗୁରୁତର ରୋଗୀ କିମ୍ବା ଗର୍ଭବତୀଙ୍କୁ ଖଟିଆ ଏବଂ ଭାର ସାହାଯ୍ୟରେ ଅନେକ ଦୂରଯାଏଁ ବୋହିବାକୁ ପଡ଼ିଥାଏ । ନିର୍ବାଚନ ପୂର୍ବରୁ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସବୁ ନେତା ଓ କର୍ମୀ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହା କେବଳ ପ୍ରତିଶ୍ରୁତିରେ ରହିଯାଉଛି | ସରପଞ୍ଚ ଓ ବିଡିଓଙ୍କୁ ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କିଛି ସୁଫଳ ମିଳୁନଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି ।