ସ୍କୁଲ, କଲେଜରେ ହିଜାବକୁ ଅନୁମତି ନାହିଁ : କର୍ଣ୍ଣାଟକ ହାଇକୋର୍ଟ

ସ୍କୁଲ, କଲେଜରେ ହିଜାବକୁ ଅନୁମତି ନାହିଁ : କର୍ଣ୍ଣାଟକ ହାଇକୋର୍ଟ

Spread this article

ହିଜାବ ମାମଲା ଉପରେ ଆଜି କର୍ଣ୍ଣାଟକ ହାଇକୋର୍ଟ ଜରୁରୀ ରାୟ ଦେଇଛନ୍ତି। ହିଜାବ ମାମଲାରେ ଦାଖଲ ହୋଇଥିବା ସମସ୍ତ ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ହିଜାବ ଧର୍ମର ଏକ ଜରୁରୀ ଅଂଶ ନୁହେଁ। ସ୍କୁଲ ଏବଂ କଲେଜରେ ହିଜାବକୁ ଅନୁମତି ଦିଆଯିବ ନାହିଁ |

ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ହାଇକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଏଥିସହ ସ୍କୁଲ ଓ କଲେଜ ୟୁନିଫର୍ମ ପିନ୍ଧିବାକୁ ଛାତ୍ରଛାତ୍ରୀ ମନା କରିପାରବେ ନାହିଁ ବୋଲି ରୋକଠୋକ କହିଛନ୍ତି କୋର୍ଟ। କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ରିତୁରାଜ ଅବସ୍ତି, ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତ ଏବଂ ଜଷ୍ଟିସ ଜେଏମ କାଜୀଙ୍କ ଏକ ବେଞ୍ଚ ଏହି ରାୟ ଶୁଣାଇଛନ୍ତି ।

କର୍ଣ୍ଣାଟକ ଉଡୁପିର ଏକ ସ୍କୁଲର କିଛି ଛାତ୍ରୀ ଆବେଦନରେ କହିଥିଲେ ଯେ, ୟୁନିଫର୍ମ ସହିତ ସେମାନଙ୍କୁ କ୍ଲାସ ଭିତରେ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଉ | କାରଣ ଏହା ସେମାନଙ୍କର ଧର୍ମର ଏକ ଅଂଶ। ତେବେ ଏହି ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ତିନି ଜଣିଆ ବେଞ୍ଚ ଖାରଜ କରିଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, ହାଇକୋର୍ଟଙ୍କ ଏହି ରାୟ ପୂର୍ବରୁ ସାରା ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କପାଲ, ଗାଡାଗ, କାଲାବୁରାଗୀ, ଡାଭେଙ୍ଗେରେ, ହାସନ, ଶିବାମୋଗା, ବେଲଗାମ୍, ଚିକ୍କାଲାପୁର, ବାଙ୍ଗାଲୋର ଏବଂ ଧରୱାଡ ଆଦି ସହରରେ 144 ଧାରା ଲାଗୁ କରାଯାଇଛି। କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଶିବମୋଗାରେ ସ୍କୁଲ ଏବଂ କଲେଜ ବନ୍ଦ ରହିଛି। ଅନ୍ୟପକ୍ଷରେ ହାଇକୋର୍ଟର ବିଚାରପତିଙ୍କ ବାସଭବନର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ଏନ ଏନ ଏସ ଓଡ଼ିଆ ଚର୍ଚ୍ଚିତ ଖବର ଜାତୀୟ ପ୍ରମୁଖ ଖବର ରାଜ୍ୟ ଶିକ୍ଷା ଓ ନିଯୁକ୍ତି