ଭାରତର ୫୧ଟି ଶକ୍ତି ପୀଠ ମଧ୍ୟରୁ ଓଡିଶାର ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତି ଗୋପାଳ ପ୍ରସାଦର ମା ହିଙ୍ଗୁଳାଙ୍କ ପୀଠ ଅନ୍ୟତମ | କଟକ -ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଠାରୁ ଏହା ମାତ୍ର ୨୨ କିଲୋମିଟର ଏବଂ ପୂର୍ବତଟ ରେଳପଥ ର ତାଳଚେର ରେଲୱେ ଷ୍ଟେସନ ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଅବସ୍ଥିତ | ପୁରାଣ କିମ୍ବଦନ୍ତୀ ଅନୁଯାୟୀ ସତ୍ୟ ଯୁଗରେ ଅଗ୍ନି ରୁପି ପରମ ବୈଷ୍ଣଵୀ ମା ନାରାୟଣୀ ଶୁମ୍ଭ ନିଶୁମ୍ଭକୁ ବଧ କରି ସୁବଳ ଓ ଦୁନ୍ଦଭିକୁ ମାରିବାକୁ ଗଲାବେଳେ ତାଙ୍କ ସହ ଅଷ୍ଟମାତୃକା ମଧ୍ୟ ଯାଇଥିଲେ, ସେହି ଅଷ୍ଟମହାବିଦ୍ୟାଙ୍କ ମଧ୍ୟରୁ ମା ହିଙ୍ଗୁଳା ଅନ୍ୟତମ l
ଚାଲନ୍ତୁ ଜାଣିବା ଏହି ମନ୍ଦିର ଏଠାରେ କେବେଠୁ ପ୍ରତିଷ୍ଠା ହେଲା ଏହାର ପୁରାଣ କିମ୍ବଦନ୍ତୀ କଣ…?
ତାଳଚେରର ଏହି ପ୍ରସିଦ୍ଧ ହିଙ୍ଗୁଳାଙ୍କ ପୀଠ ବିଷୟରେ ଜନସୃତିରୁ ଜଣାଯାଏ ଯେ ଏଠାରେ ପ୍ରବାହିତ ସିଙ୍ଗଡ଼ା ନଦୀରେ ଅକସ୍ମାତ ଜ୍ୱାଳାମୁଖି ଅଗ୍ନିଙ୍କର ଆବିର୍ଭାବ ଘଟିଥିଲା | କାଳକ୍ରମେ ଚୈତ୍ର ମାସ ଶୁକ୍ଲପକ୍ଷ ଚତୁର୍ଦଶୀ ତିଥିରେ ଅଗ୍ନି ଜ୍ୱାଳା ରୂପେ ହିଙ୍ଗୁଳାଙ୍କୁ ଯାତ୍ରା ଆରମ୍ଭ କରାଗଲା | ମା’ଙ୍କ ପୀଠ ଯେତିକି ପ୍ରାଚୀନ ସେତିକି ରହସ୍ୟମୟ ମଧ୍ୟ | ଏମିତି କି କିମ୍ବଦନ୍ତୀ କୁହେ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ଧାମ ସହ ମା ହିଙ୍ଗୁଳାଙ୍କର ରହିଛି ନିବିଡ଼ ସମ୍ପର୍କ l ଶ୍ରୀକ୍ଷେତ୍ର ପାକଶାଳ ଠାକୁରାଣୀ ହେଲେ ମା ହିଙ୍ଗୁଳା |
ରାଜ୍ୟର ଇଷ୍ଟ ଦେଵୀ ରୂପରେ ମା ହିଙ୍ଗୁଳା ନନ୍ଦ ରାଜାଙ୍କ ଦୁର୍ଗରେ ପୂଜା ପାଉଥିଲେ | ମାଙ୍କ କୃପାରୁ ରାଜା ନନ୍ଦ ସର୍ବଦା ଅମୃତମଣ ଭୋଗ କରୁଥିଲେ | ମା ହିଙ୍ଗୁଳାଙ୍କ କୃପାରୁ ଖାଦ୍ୟସାମଗ୍ରୀ ଅତ୍ୟନ୍ତ ସୁସ୍ୱାଦୁ ହେଉଥିଲା l ସେହି ସମୟରେ ପୁରୀର ମହାପ୍ରସାଦ କିପରି ଅଧିକରୁ ଅଧିକ ସୁସ୍ୱାଦୁ ହେବ ସେଥିପାଇଁ ଗଜପତି ମହାରାଜା ଉପାୟ ଖୋଜୁଥିଲେ | ମା ହିଙ୍ଗୁଳା ରାଜାଙ୍କୁ ସ୍ୱପ୍ନାଦେଶ ଦେଲେ | ଗଜପତିଙ୍କ ପୂଜା ଓ ଭକ୍ତିରେ ମା ପ୍ରସନ୍ନ ହୋଇ ଶ୍ରୀମନ୍ଦିରର ପାକଶାଳକୁ ବିଜେ କଲେ l ତାଙ୍କର ମହିମାରୁ ଶ୍ରୀମନ୍ଦିରର ମହାପ୍ରସାଦ ଅତ୍ୟନ୍ତ ସୁସ୍ୱାଦ ହେଲା l ମା ହିଙ୍ଗୁଳା ଶ୍ରୀମନ୍ଦିର ଯିବା ବାଟରେ ତାଳଚେରର ଗୋପାଳପ୍ରସାଦଠାରେ ଅବସ୍ଥାପିତ ହେଲେ ଏବଂ ଏହା ହିଙ୍ଗୁଳା ପୀଠ ଭାବରେ ଖ୍ୟାତ ହେଲା l
ଅନ୍ୟ ଏକ ପୌରାଣିକ କଥା ଅନୁସାରେ ହିଙ୍ଗରାଜ ନାମକ ସ୍ଥାନରେ ଭଗବାନ ନାରାୟଣଙ୍କ ସୁଦର୍ଶନ ଚକ୍ର ଦ୍ୱାରା ଦେଵୀ ସତୀଙ୍କର ବ୍ରହ୍ମରୁଦ୍ର ବା ମସ୍ତକର କପାଳ ଅଂଶ ପଡି ଥିଲା l ମା ହିଙ୍ଗୁଳାଙ୍କ ମନ୍ଦିର ହିଙ୍ଗରାଜ ମନ୍ଦିର ରୂପେ ବର୍ତମାନ ପାକିସ୍ତାନ ଅନ୍ତର୍ଗତ ସିନ୍ଧୁ ନଦୀର ତ୍ରିକୋଣ ଭୂମିଠାରୁ ୧୨୦ କିଲୋମିଟର ଦୂର ମକ୍ରାନ ପର୍ବତ ଶ୍ରେଣୀରର ଗିରିଶୃଙ୍ଗରେ ଅବସ୍ଥିତ l ମାତା ସତୀ ଯେଉଁ ଭାଗରେ ସିନ୍ଦୁର ଲଗାନ୍ତି ସେହି ଭାଗଟି ତାଳଚେର ଅଂଚଳ ରେ ପଡିଥିଲା l ସିନ୍ଦୁରର ବର୍ଣ୍ଣ ହିଙ୍ଗଳ ରଙ୍ଗର ହୋଇ ଥିବାରୁ ମା ସେଠାରେ ହିଙ୍ଗୁଳା ନାମରେ ପୂଜା ପାଇ ଆସୁଛନ୍ତି l
ଦେଵୀ ହିଙ୍ଗୁଳାଙ୍କ ଉଭା ସ୍ଥଳୀରୁ କୋଇଲାର ବେଦି ଉପରେ ଅଗ୍ନି ସ୍ୱରୂପ ଅବତୀର୍ଣ୍ଣ ଅଗ୍ନି ପୂଜାର ଏକ ଆଦିମ ସ୍ୱରୂପ l ଦେଵୀ ହିଙ୍ଗୁଳା ବା ହିଙ୍ଗୁଳାଇ ‘ହିଙ୍ଗୁଳ’ ଶବ୍ଦରୁ ଆନିତ | ଦେଵୀଙ୍କର ୫୧ ଶକ୍ତିପିଠ ମଧ୍ୟରୁ ହିଙ୍ଗରାଜ ଜ୍ୱlଳମୁଖୀ ଓ ତାଳଚେର ଗୋପାଳପ୍ରସାଦ ଦୁଇଟି ପିଠରେ ମା ଅଗ୍ନି ସ୍ୱରୂପିଣୀ l ଏଠାରେ ଦେଵୀଙ୍କର ପୁରାତନ ଯୁଗରୁ ଉପାସନା ହୋଇ ଆସୁଛି l ବେଲୁଚିସ୍ଥାନର ହିଙ୍ଗରାଜ ପୀଠ ଓ ତାଳଚେର ହିଙ୍ଗୁଳା ପିଠ ମଧ୍ୟରେ ଐତିହାସିକ ସମ୍ପର୍କ ରହିଥିବା ଲକ୍ଷ୍ୟ କରାଯାଏ l
କରୋନା କଟକଣା ଯୋଗୁ ଗତ ଦୁଇ ବର୍ଷ ହେବ ମା’ଙ୍କ ପୀଠରେ ଯାତ୍ରା ହେଉନଥିଲା | ଚଳିତ ବର୍ଷ ଏପ୍ରିଲ ୧୩ ତାରିଖଠାରୁ ୯ ଦିନ ପର୍ଯ୍ୟନ୍ତ ଯାତ୍ରା ହେଉଛି | ଏହାବ୍ୟତୀତ ମାଙ୍କ ପୀଠରେ ଦଶହରା, ଓ ଅନ୍ୟନ୍ୟ ପର୍ବ ପର୍ବାଣି ମଧ୍ୟ ବହୁ ଧୁମଧାମରେ ରୀତିନୀତି ଅନୁଯାୟୀ ପାଳନ କରାଯାଏ l