ଚୀନରେ ବଢ଼ିଲା କରୋନା ସଂକ୍ରମଣ,  ୧୦ ସହରରେ ଲକଡାଉନ୍

ଚୀନରେ ବଢ଼ିଲା କରୋନା ସଂକ୍ରମଣ, ୧୦ ସହରରେ ଲକଡାଉନ୍

Spread this article

ଚୀନରେ ପୁଣି କରୋନା ବିସ୍ଫୋରଣ । କରୋନାର ଏନ୍ତୁଡ଼ିଶାଳ ଚୀନରେ ବଢ଼ିଲା କରୋନା ସଂକ୍ରମଣ । ଦିନକରେ ୫ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି ଯେ ମହାମାରୀ ଆରମ୍ଭରୁ ଏହା ହେଉଛି ସବୁଠୁ ଅଧିକ ସଂଖ୍ୟକ ଦୈନିକ ସଂକ୍ରମଣ। କରୋନା ସଂକ୍ରମଣ ବଢ଼ୁଥିବାରୁ ଦେଶର ୧୦ ସହରରେ ଲାଗୁ କରାଯାଇଛି ଲକଡାଉନ୍ । ଏହି ସହର ମଧ୍ୟରେ ସେନଜେନ୍ ସହର ମଧ୍ୟ ଅନ୍ତର୍ଭୁକ୍ତ | ଯାହା ଦକ୍ଷିଣ ଚୀନ୍‌ର ବୈଷୟିକ ହବ୍‌ ଭାବେ ପରିଚିତ | ସହରରେ ଏବେ ୧ କୋଟି ୭୦ ଲକ୍ଷ ଲୋକ ଘରେ ବନ୍ଦ ହୋଇ ରହିଛନ୍ତି |

ସେହିଭଳି ଜିଲିନ୍ ର ରାଜଧାନୀ ଚାଙ୍ଗଚୁନ୍ ରେ କରୋନା ସଂକ୍ରମଣ ହଠାତ୍ ବୃଦ୍ଧି ପାଇଛି | ଫଳରେ ସହରରେ ରବିବାର ଠାରୁ ଲକଡାଉନ୍ ଘୋଷଣା କରାଯାଇଛି | ତେବେ ଘରୁ ନବାହାରିବା ପାଇଁ ୯୦ ଲକ୍ଷ ଲୋକଙ୍କୁ ଜରୁରୀକାଳୀନ ନିର୍ଦେଶ ଦିଆଯାଇଛି | ସଂକ୍ରମଣ ବଢ଼ୁଥିବାରୁ ଚିନ୍ତାରେ ପଡିଛନ୍ତି ଜିନପିଙ୍ଗ ସରକାର ।ଜିଲିନ୍ ସହରରେ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରାଯାଇଛି । ଏହି ଅସ୍ଥାୟୀ ହସ୍ପିଟାଲ ଗୁଡ଼ିକରେ ପାଖାପାଖି ୬ହଜାର ବେଡ୍ ଉପଲବ୍ଧ କରାଯିବ ବୋଲି ଜଣାଯାଇଛି ।

ଚାଇନାରେ କରୋନା ମହାମାରୀ ପୁଣି ଫେରିବା ପରେ ଭାରତରେ ମଧ୍ୟ ଏହି ଭାଇରସକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଭାରତରେ ଏବେ କରୋନା ସଂକ୍ରମଣ ମାମଲା କମିଥିଲେ ମଧ୍ୟ ସମ୍ପୂର୍ଣ ରୂପେ ଟଳିନି ବିପଦ | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆକଳନରୁ ଜଣାପଡିଛି ଯେ, ଏବେ ବି ଦେଶରେ ୩୮୦୬୯ ସକ୍ରିୟ ମାମଲା ରହିଛି । ଯୋଧପୁର ସ୍ଥିତ ଏନଆଇଆଇଆରଏନସିଡି ଏବଂ କମ୍ୟୁନିଟି ମେଡିସିନ୍ ବିଶେଷଜ୍ଞ ଡକ୍ଟର ଅରୁଣ ଶର୍ମା କହିଛନ୍ତି ଯେ ଭାରତରେ କରୋନା ବିଷୟରେ କୌଣସି ସଠିକ ଭବିଷ୍ୟବାଣୀ କରିବା କଷ୍ଟକର। ଓମିକ୍ରନ ପରେ ବର୍ତ୍ତମାନ ଭାରତରେ କରୋନାର କୌଣସି ନୂଆ ଭ୍ୟାରିଏଣ୍ଟ ଦେଖିବାକୁ ମିଳିନି |

ଏନ ଏନ ଏସ ଓଡ଼ିଆ ପ୍ରମୁଖ ଖବର ସମଗ୍ର ଦୁନିଆ ସ୍ବାସ୍ଥ୍ୟ