ପରପାରିରେ ପଦ୍ମଶ୍ରୀ ପ୍ରଫୁଲ୍ଲ କର: ଓଡିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ;  ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ

ପରପାରିରେ ପଦ୍ମଶ୍ରୀ ପ୍ରଫୁଲ୍ଲ କର: ଓଡିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ; ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ

Spread this article

”କମଳ ଦେଶର ରାଜ କୁମାର ମୋ ହାତରେ ପୁଷ୍ପ ଧନୁ”,    “ଲକ୍ଷେ ରାଜାର ମଉଡ଼ମଣି ସେ ତା ନାମ ଚଂଦ୍ରଭାନୁ” | ଓଡିଶା ହରେଇଲା ଆଉ ଏକ ମଣି | ଅଫେରା ରାଇଜକୁ ଚାଲିଗଲେ ଓଡ଼ିଶାର ସୁନାମଧନ୍ୟ ସଂଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର। ୮୩ ବର୍ଷ ବୟସରେ ଭୁବନେଶ୍ୱର ସତ୍ୟନଗରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ୬ ଦଶନ୍ଧୀ ଧରି ଓଡ଼ିଆ ସଙ୍ଗୀତ ଦୁନିଆକୁ ଆଚ୍ଛାଦିତ କରି ରଖିଥିବା ଏହି ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ଦେହାନ୍ତ ପରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି । ଆଜି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ ।

ପ୍ରଫୁଲ୍ଲ କରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଜଣ ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସହରାଞ୍ଚଳ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଏବଂ ବିଦ୍ୟାଳୟ ତଥା ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସବର୍ମା ଯୋଗଦେବେ ବୋଲି ଜଣାଯାଇଛି |

ପଦ୍ମଶ୍ରୀ ପ୍ରଫୁଲ୍ଲ କର ଏକାଧାରରେ ସେ ଜଣେ ସଂଗୀତଜ୍ଞ, ଗୀତିକାର, ଲେଖକ, ସ୍ତମ୍ଭକାର ଭାବେ ପରିଚିତ ଥିଲେ। ଚଳଚ୍ଚିତ୍ର ସଂଗୀତ, ଲଘୁ ସଂଗୀତ, ଭକ୍ତି ସଂଗୀତ ଓ ଓଡ଼ିଶୀ ସଂଗୀତରେ ତାଙ୍କର ଥିଲା ଅନନ୍ୟ ପାରଦର୍ଶୀତା । ୭୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ଅନବଦ୍ୟ ସୃଷ୍ଟି ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା। ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ । କଳା କ୍ଷେତ୍ରକୁ ଅତୁଳନୀୟ ଅବଦାନ ଲାଗି ୨୦୧୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିବା ବେଳେ ୨୦୦୪ ମସିହାରେ ଜୟଦେବ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଥିଲା।

କମଳ ଦେଶ ରାଜକୁମାର , ବହି ଯାଏ ରେ ଗଙ୍ଗା ଉଡ଼େ ତ୍ରିରଙ୍ଗା, ଆହେ ଦୟାମୟ ବିଶ୍ବବିହାରୀ, ତୁମ ଶାଢ଼ୀର ରଙ୍ଗ ନକଲି, ମଲେଇ ଖାଇ ମୋ ଓଲେଇ ବିଲେଇ, କାଳୀ କପାଳି ନରମୁଣ୍ଡ ମାଳି, ଏ ରାତି ଏ ଜହ୍ନ ଏ ଫୁଲ ଏ ଫଗୁଣ…ଆଦି ଏମିତି ଅନେକ ଗୀତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା |

 

ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗତ କରଙ୍କୁ ଜଣେ ଯଶସ୍ୱୀ କଳାକାର ଭାବରେ ବର୍ଣନା କରିଛନ୍ତି |  ଜଣେ ଗୀତିକାର ସଂଗୀତଜ୍ଞ ତଥା ସଂଗୀତ ନିର୍ଦେଶକ ଭାବରେ ସେ ଅନେକ ଗୌରବଜ୍ବଳ କୀର୍ତ୍ତି ସ୍ଥାପନ କରିଯାଇଛନ୍ତି | ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟାଇଛି। ତାଙ୍କର ସ୍ୱତନ୍ତ୍ର ସଙ୍ଗୀତ ରଚନା ଶୈଳୀ ଓ ନିର୍ଦେଶନା ଲୋକଙ୍କ ହୃଦୟରେ ତାଙ୍କୁ ସର୍ବଦା ଅମର କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | ପ୍ରଫୁଲ୍ଲ କରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନ୍ୟପକ୍ଷେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି |

ଏନ ଏନ ଏସ ଓଡ଼ିଆ ପ୍ରମୁଖ ଖବର ମନୋରଞ୍ଜନ ରାଜ୍ୟ