ଋଷ ରାଷ୍ଟ୍ରପତିଙ୍କ ଧମକ; ଯିଏ ହସ୍ତକ୍ଷେପ କରିବ ପରିଣାମ ଭୟଙ୍କର ହେବ

ଋଷ ରାଷ୍ଟ୍ରପତିଙ୍କ ଧମକ; ଯିଏ ହସ୍ତକ୍ଷେପ କରିବ ପରିଣାମ ଭୟଙ୍କର ହେବ

Spread this article

ଆରମ୍ଭ ହେଲା ଯୁଦ୍ଧ | ୟୁକ୍ରେନ ଉପରେ ଆକ୍ରମଣ କଲା ଋଷିଆ । ଆଜି ୟୁକ୍ରେନ ବିରୋଧରେ ଋଷିଆ ଯୁଦ୍ଧ ଘୋଷଣା କରିଛି । ୟୁକ୍ରେନର ୧୩ଟି ସ୍ଥାନରେ ବାଲାଷ୍ଟିକ ମିସାଇଲ ଓ ମାନବବିହୀନ ଡ୍ରୋନ ଦ୍ୱାରା ଆକ୍ରମଣ ସହ କଡା ଆଭିମୁଖ୍ୟ ରଖିଛି ଋଷ । ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ସ୍ଥିତି ଟଳିବ ନାହିଁ ବୋଲିରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ପଷ୍ଟ କରିବା ସହ ୟୁକ୍ରେନ ସେନାକୁ ଆତ୍ମସମର୍ପଣ କରିବା ପାଇଁ କହିଛନ୍ତି ପୁଟିନ। ଏଥିସହ ପୁଟିନ ୟୁକ୍ରେନ ବିରୋଧରେ ସେନା ଅପରେସନ ପାଇଁ ଘୋଷଣା କରି ଏକ ବଡ ଧମକ ଦେଇଛନ୍ତି । ଯଦି କୌଣସି ବାହ୍ୟଶକ୍ତି ଏଥିରେ ହସ୍ତକ୍ଷେପ କରିବେ ତେବେ ପରିଣାମ ଭୟଙ୍କର ହେବ । ଯାହା ପୂର୍ବରୁ ଇତିହାସରେ କେବେ କେହି ଦେଖିନଥିବେ । ସମସ୍ତ ଜରୁରୀ ନିର୍ଣ୍ଣୟ ନିଆସରିଛି ବୋଲି ପୁଟିନ କହିଛନ୍ତି । ଅନ୍ୟପଟେ ୟୁକ୍ରେନ ମଧ୍ୟ ଦେଶରେ ମାର୍ଶଲ ଆଇନ ଲାଗୁ କରିଛି । ଯାହାଦ୍ୱାରା ସମସ୍ତ ଦାୟିତ୍ୱ ଏବେ ସେନାବାହିନୀ ହାତକୁ ଚାଲି ଯାଇଛି ।

ସେପଟେ ଋଷିଆର ଆଭିମୁଖ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ କହିଛନ୍ତି, ମୁଁ ସନ୍ଧ୍ୟାରେ ହ୍ବାଇଟ ହାଉସରୁ ସ୍ଥିତି ଉପରେ ନଜର ରଖିବି ଏବଂ ଜାତୀୟ ସୁରକ୍ଷା ଦଳ ପକ୍ଷରୁ ନିୟମିତ ଅପଡେଟରେ ରହିବି । ଆସନ୍ତାକାଲି ସକାଳେ ମୁଁ ଜି-୭ ପ୍ରତିପକ୍ଷଙ୍କ ସହ ବୈଠକ କରିବି ଏବଂ ଆମେ ନାଟୋ ସହଯୋଗୀଙ୍କ ସହିତ ସମନ୍ବୟ ରକ୍ଷା କରିବୁ । ଆକ୍ରମଣରେ ହେବାକୁ ଥିବା କ୍ଷୟକ୍ଷତି ଏବଂ ମୃତ୍ୟୁ ପାଇଁ ଋଷିଆ ଏକା ହିଁ ଦାୟୀ ରହିବ ବୋଲି ବାଇଡେନ କହିଛନ୍ତି ।
ୟୁକ୍ରେନ-ଋଷିଆ ବିବାଦ ନେଇ ଭାରତ ମଧ୍ୟ ଚିନ୍ତା ପ୍ରକଟ କରିଛି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ତୁରନ୍ତ ପଦକ୍ଷେପ ନିଆନଗଲେ ନାଗରିକଙ୍କ ସୁରକ୍ଷା ବିପନ୍ନ ହୋଇପାରେ ବୋଲି ୟୁଏନଏସସିରେ ଭାରତୀୟ ପ୍ରତିନିଧି ଟି.ଏସ ତିରୁମୂର୍ତ୍ତି କହିଛନ୍ତି

ଏବେ ୟୁକ୍ରେନକୁ ତିନି ପଟୁ ଋଷିଆର ପ୍ରାୟ ଦେଢ ଲକ୍ଷରୁ ଅଧିକ ସେନା ଘେରି ରହିଛନ୍ତି । ବେଲାରୁଷ ବିମାନ ବନ୍ଦରରେ ମଧ୍ୟ ଋଷୀୟ ସେନା ଡ୍ରିଲ ଆରମ୍ଭ କରିଛି । ସେପଟେ ଋଷିଆର ମୁକାବିଲା ପାଇଁ ୟୁକ୍ରେନ ମଧ୍ୟ ପ୍ରସ୍ତୁତ ହୋଇଛି । ୟୁକ୍ରେନ ନାଗରିକଙ୍କୁ ଆତ୍ମରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଅନୁମତି ଦେବା ପାଇଁ ଆଲୋଚନା କରାଯାଇଛି ।

ଅନ୍ୟପକ୍ଷେ ୟୁକ୍ରେନ-ଋଷିଆ ସଙ୍କଟ ଟାଳିବା ପାଇଁ ଆମେରିକା ଯଥାସମ୍ଭବ ପ୍ରଚେଷ୍ଟା କରିଛି । ୟୁକ୍ରେନର ଡୋନେସ୍କ ଏବଂ ଲୁଗାନସ୍କ ଅଞ୍ଚଳକୁ ସ୍ବାଧୀନ ଦେଶ ଭାବେ ସ୍ବୀକୃତି ପରେ ଆମେରିକା ସମତେ ଅନେକ ୟୁରୋପୀୟ ରାଷ୍ଟ୍ର ଋଷିଆ ଉପରେ ଆର୍ଥିକ କଟକଣା ଜାରି କରିଛନ୍ତି । ବିଶ୍ବ ଶାନ୍ତି ଡାକରା ଦେଉଥିବାବେଳେ କିନ୍ତୁ ଋଷିଆ ଏହାପ୍ରତି କର୍ଣ୍ଣପାତ କରୁନଥିବା ଆମେରିକା କହିଛି ।ତେବେ ଋଷିଆ-ୟୁକ୍ରେନ ଯୁଦ୍ଧ ଟାଣିବା ପାଇଁ ବୁଧବାର ଜାତିସଙ୍ଘ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଦିମିତ୍ରୋ କୁଲେବା କହିଥିଲେ, ଋଷିଆର ଯୁଦ୍ଧ ଆଭିମୁଖ୍ୟକୁ ଟାଳିବା ଜରୁରୀ । ଏହି ଯୁଦ୍ଧ ହେଲେ ବିଶ୍ବର ସ୍ଥିତି କଣ ହେବ ତାହା ବିଚାର କରିବାକୁ ପଡିବ । ଯଦି ୟୁକ୍ରେନ-ଋଷିଆ ସଙ୍କଟ ଲାଗି ରୁହେ ତେବେ ବିଶ୍ବ ପାଇଁ ଦୀର୍ଘକାଳୀନ ସମସ୍ୟା ଉପୁଜିବ ବୋଲି ଜାତିସଙ୍ଘ ମହାସଚିବ ଚିନ୍ତାବ୍ୟକ୍ତ କରିଥିଲେ ।

ଅପରାଧ ଏନ ଏନ ଏସ ଓଡ଼ିଆ ଚର୍ଚ୍ଚିତ ଖବର ଜାତୀୟ ତାଜା ଖବର ପ୍ରମୁଖ ଖବର ସମଗ୍ର ଦୁନିଆ