ଭୁବନେଶ୍ୱର,୧୩.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଭୁବନେଶ୍ୱର ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନଡାକିବାକୁ ନେଇ ତେଜିଛି ରାଜନୀତି । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ପ୍ରତିଷ୍ଠା ଦିବସ କମିଟି । ସାଂସଦଙ୍କୁ ଡାକିବାକୁ ମେୟର ସୁଲୋଚନା ଦାସ ମନା କରିଥିବା ଅଭିଯୋଗ କରିଛି କମିଟି । ଅତିଥି ଭାବେ ନୁହ କେବଳ ନିମନ୍ତ୍ରଣ ପତ୍ର ଦିଆଯିବ ବୋଲି ସୁଲୋଚନା ଦାସ କହିଥିବା କମିଟି ପକ୍ଷରୁ କୁହାଯାଇଛି ।
ପୂର୍ବରୁ ବୈଠକରେ ମେୟରଙ୍କୁ ଉପେକ୍ଷା କରାଯାଇଛି, ତେଣୁ ଆକ୍ରୋସ ମୂଳକ ଭାବେ ଏପରି ହୋଇଥିବା କମିଟି କହିଛି । ଏହା ସହ କମିଟି କହିଛି ଯେ, କମିଟି ପକ୍ଷରୁ ସରକାରଙ୍କୁ ଏକ ତାଲିକା ଦିଆଯାଇଥିଲା । ଯେଉଁଥିରେ ସାଂସଦଙ୍କ ନାଁ ସବୁଠୁ ଉପରେ ରହିଥିଲା । ନିମନ୍ତ୍ରଣ କରାଯାଇନଥିବାରୁ ଟ୍ୱିଟ୍ କରି କ୍ଷୋଭ ପ୍ରକାଶ କରିଥିଲେ ଅପରାଜିତା ଷଡଙ୍ଗୀ । ନିମନ୍ତ୍ରଣ କାର୍ଡରେ ନାଁ ନରହିବା କେତେଦୂର ଠିକ୍ ବୋଲି ସେ ପ୍ରଶ୍ନ କରିଥିଲେ ।
ଏପଟେ ୭୫ ବର୍ଷରେ ରାଜଧାନୀ ଭୁବନେଶ୍ୱର ପାଦ ଥାପିଥିବାବେଳେ ରାଜଧାନୀରେ ବିଭିନ୍ନ କାର୍ୟ୍ୟକ୍ରମ ମାନ କରାଯାଉଛି । କିନ୍ତୁ ପ୍ରତିଷ୍ଠା ଦିବସକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ନିମନ୍ତ୍ରଣ କରାଯାଇନି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ରାଜ୍ୟ ସରକାର ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ସରକାରୀ କାର୍ୟ୍ୟକ୍ରମ ହୋଇଥିଲେ ବି ମୋ ନାମ ନିମନ୍ତ୍ରଣ କାର୍ଡରେ ନାହିଁ ।
ଏହା କେତେଦୂର ଯୁକ୍ତିସଙ୍ଗତ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ । ସେ ଆହୁରି କହିଛନ୍ତି ଗତବର୍ଷ ମଧ୍ୟ ମଧ୍ୟ ତାଙ୍କୁ ପ୍ରତିଷ୍ଠା ଦିବସକୁ ଡକାଯାଇନଥିଲା । ଏହା ଭୁଲ ବୋଲି ମାନିଥିଲେ । କିନ୍ତୁ ଏ ବର୍ଷ ମଧ୍ୟ ସେହି ଘଟଣାର ପୁନରାବୃତ୍ତି ଘଟିଛି । ଦୁଇ ଦୁଇଥର ଏଭଳି କରିବା ପଛରେ କାରଣ କ’ଣ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି, ଯେ ରାଜ୍ୟ ସରକାର ଭୁଲି ନ ଯିବା ଦରକାର ଯେ, ରାଜଧାନୀ ପ୍ରତିଷ୍ଠା ଦିବସ କୌଣସି ଦଳୀୟ କାର୍ୟ୍ୟକ୍ରମ ନୁହେଁ । ଏହା ସଂସଦୀୟ କ୍ଷେତ୍ରର ଜନସାଧାରଣଙ୍କ ସମ୍ମାନ ଓ ସ୍ୱାଭିମାନକୁ କୁଠାରଘାତ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି ।