ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ । ମଧୁ ବାବୁଙ୍କ ଜୟନ୍ତୀ ପାଇଁ ଉତ୍ସବମୁଖର ହୋଇଛି ଜନ୍ମପୀଠ କଟକ ଜିଲ୍ଲାର ସତ୍ୟଭାମାପୁର । ବହୁ ସାହିତ୍ୟିକ, ବୃଦ୍ଧିଜୀବି ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ରାଜନୈତିକ ନେତା ଉପସ୍ଥିତ ରହି ମଧୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆଜି ସନ୍ଧ୍ୟାରେ ମଧୁବାବୁଙ୍କ ସ୍ମୃତି ଉଦେଶ୍ୟରେ ହୋଇଥିବା ମ୍ୟୁଜିୟମକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ।
ଉତ୍କଳ ଗୌରବ ମଧୁସୂଦନ ଦାସ ୧୮୪୮ମସିହା ଏପ୍ରିଲ ୨୮ତାରିଖ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ। ତାଙ୍କ ଜନ୍ମିତ ନାମ ଥିଲା ଗୋବିନ୍ଦ ବହ୍ଲଭ। ସେ ଗାଁ ଚାଟଶାଳୀରେ ସ୍କୁଲ ଶିକ୍ଷା ଶେଷକରି କଟକ ହାଇସ୍କୁଲରୁ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହେଲେ। ପରେ ବାଲେଶ୍ଵରରେ ତାଙ୍କୁ ଏକ କିରାଣୀ ଚାକିରୀ ମିଳିଥିଲା। ମାତ୍ର ମଧୁବାବୁ ଥିଲେ ଉଚ୍ଚାଭିଳାଶି। ଫଳରେ ସେ ଉଚ୍ଚଶିକ୍ଷା ପାଇଁ କଲିକତା ଚାଲି ଆସିଲେ। କଲିକତାରେ ବଙ୍ଗୀୟ ଖ୍ରୀଷ୍ଟିଆନ ପାଦ୍ରୀ ଅମ୍ବିକା ପ୍ରସାଦ ହଜରାଙ୍କ ପ୍ରେରଣା ଓ ସହାୟତାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଏମ.ଏ ପାସ କରିଥିଲେ। ଏହି ସମୟରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓକିଲାତି ମଧ୍ୟ ପାସ କଲେ। ସେ ଥିଲେ ଓଡ଼ିଶାର ପ୍ରଥମ ଓକିଲ। ଏଣୁ କାଳକ୍ରମେ ତାଙ୍କୁ “ମଧୁ ବାରିଷ୍ଟର” ନାମରେ ଜଣାଗଲା। ୧୮୮୩ରୁ ୧୮୯୦ମସିହା ଯାଏ ସେ ରେଭେନ୍ସା କଲେଜରେ ଆଇନ ଅଧ୍ୟାପକ ଥିଲେ।
ଅମ୍ବିକା ପ୍ରସାଦ ଓ ତାଙ୍କର ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ କନ୍ୟା ଶୈଳବାଳା ଏବଂ ସୁଧାଂଶୁବାଳାଙ୍କୁ ସେ ନିଜର କନ୍ୟା ରୂପେ ପାଳନ କରିଥିଲେ। ସେହି ପାଳିତା କନ୍ୟାଙ୍କ ନାମାନୁସାରେ କଟକରେ ଶୈଳବାଳା ମହିଳା ମହାବିଦ୍ୟାଳୟ ସ୍ଥାପିତ ହୋଇଛି।
ପୁରୀ ଜଗନ୍ନାଥ ମନ୍ଦିର ଭାର ଇଂରେଜ ସରକାର ନେବାକୁ ଉଦ୍ୟମ କରୁଥିଲା ବେଳେ ତାହା ସେ କରାଇଦେଇ ନଥିଲେ। ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ମାଧ୍ୟମରେ ଓଡ଼ିଶାର ଅଗଣିତ ଭାଇ ଭଉଣୀଙ୍କୁ ଆହ୍ୱାନ ଦେଇ ମଧୁସୂଦ ଲେଖିଲେ——
ଜାତି ପ୍ରାଣ ସିନ୍ଧୁ
କୋଟିପ୍ରାଣ ବିନ୍ଦୁ ଧରେ
ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ।
ଡେଇଁପଡି ସିନ୍ଧୁ ନିରେ ।।
ଉତ୍କଳ ଗୌରବ ମଧୁସୂଦନ ଦାସ କେବଳ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବରେଣ୍ୟ କର୍ଣ୍ଣଧାରା ନଥିଲେ; ତତ୍କାଳୀନ ଓଡ଼ିଶାରେ ଶିଳ୍ପ ଓ ଦକ୍ଷତାର ବିକାଶ ଉପରେ ଗୁରୁତ୍ୱ ଦେଇ ଏକ ପ୍ରଗତିଶୀଳ ପ୍ରଦେଶ ନିର୍ମାଣ ଲାଗି ସ୍ୱପ୍ନ ଦେଖିଥିଲେ। କଟକରେ ତାରକସି କାମର ଉନ୍ନତି ମଧ୍ୟ ମଧୁସୂଦନଙ୍କ ପ୍ରଚେଷ୍ଟାର ଫଳ। ୧୯୪୩ ମସିହା ଫେବୃଆରୀ ମାସ ୪ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ।