ୟୁପି ରାଜନୀତିରେ ଅନ୍ଧବିଶ୍ୱାସ ; ମୁଖ୍ୟମନ୍ତ୍ରୀ ନୋଏଡା ଗସ୍ତ କଲେ ଜିତି ପାରିବେନି ନିର୍ବାଚନ

ୟୁପି ରାଜନୀତିରେ ଅନ୍ଧବିଶ୍ୱାସ ; ମୁଖ୍ୟମନ୍ତ୍ରୀ ନୋଏଡା ଗସ୍ତ କଲେ ଜିତି ପାରିବେନି ନିର୍ବାଚନ

Spread this article

ଉତ୍ତରପ୍ରଦେଶରେ ପୁଣି ଯୋଗୀଙ୍କ ରାଜ। ୟୁପି ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବ ବିଜେପି | ୟୁପିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ଏଥିସହିତ ଯୋଗୀ ଭାଙ୍ଗିଛନ୍ତି ପୁରୁଣା ଅନ୍ଧବିଶ୍ୱାସ | ୟୁପି ରାଜନୀତିରେ ଅନ୍ଧବିଶ୍ୱାସ ଥିଲା ଯେ, ଯେଉଁ ମୁଖ୍ୟମନ୍ତ୍ରୀ ନୋଏଡା ଗସ୍ତ କରିବେ ସେ ନିଶ୍ଚିତ ଭାବେ ନିର୍ବାଚନରେ ହାରିବେ | କିନ୍ତୁ ଯୋଗୀ ଏହି ଅନ୍ଧବିଶ୍ୱାସକୁ ଭୁଲ୍ ପ୍ରମାଣିତ କରିଛନ୍ତି । ଯୋଗୀ ନିଜ ମୁଖ୍ୟମନ୍ତ୍ରୀ କାଳରେ ଅନେକ ଥର ନୋଏଡା ଗସ୍ତରେ ଯାଇଥିଲେ ବି, ଏବେ ସେ ନିର୍ବାଚନରେ ବିଜୟ ହାସଲ କରିଛନ୍ତି ।

ସୂଚନାରୁ ଜଣାଯାଇଛି ଯେ, ମାର୍ଚ୍ଚ ୨୦୦୭ ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ମାୟାବତୀ ଶପଥ ଗ୍ରହଣ କରିଥିଲେ | ସେହି ବର୍ଷ ସେ ତାଙ୍କ ଘନିଷ୍ଠ ବନ୍ଧୁଙ୍କ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ନୋଏଡା ଯାଇଥିଲେ। କିନ୍ତୁ ୨୦୧୨ ନିର୍ବାଚନରେ ମାୟାବତୀଙ୍କୁ ଶାସନ ଗାଦିରୁ ହଟିବାକୁ ପଡିଥିଲା । ଏବଂ ଏହି ଅନ୍ଧବିଶ୍ୱାସ ଲୋକଙ୍କ ଭିତରେ ଆହୁରି ଦୃଢ଼ୀଭୁତ ହୋଇଯାଇଥିଲା | ସେହିପରି ଅଖିଳେଶ ଯାଦବ ମଧ୍ୟ ଏହି କଥାକୁ ବିଶ୍ୱାସ କରୁଥିଲେ । ୨୦୧୩ରେ ନୋଏଡାରେ ଆୟୋଜିତ ହୋଇଥିଲା ଏସିଆ ବିକାଶ ବ୍ୟାଙ୍କ ଶିଖର ସମ୍ମିଳନୀ । ଏହି ଉତ୍ସବରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଯୋଗ ଦେଇଥିଲେ । ହେଲେ ନୋଏଡା ଗଲେ, କାଳେ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ଚାଲିଯିବ, ସେହି ଭୟରେ ଅଖିଳେଶ ଏହି ଉତ୍ସବରେ ସାମିଲ ହୋଇନଥିଲେ ।

ଏହାବ୍ୟତୀତ ଯୋଗୀ ୟୁପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ, ଯିଏ ୫ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ପୁନର୍ବାର କ୍ଷମତାକୁ ଆସିବାକୁ ଯାଉଛନ୍ତି | ୟୁପି ରାଜନୀତି ଇତିହାସରେ ଏଭଳି କେବେ ହୋଇନଥିଲା | ଏହାପୂର୍ବରୁ, ଅନେକ ମୁଖ୍ୟମନ୍ତ୍ରୀ ୟୁପିରେ ପୁନର୍ବାର କ୍ଷମତାକୁ ଆସିଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ପ୍ରଥମ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିନାହାଁନ୍ତି।

ଏନ ଏନ ଏସ ଓଡ଼ିଆ ଜାତୀୟ ପ୍ରମୁଖ ଖବର ରାଜନୀତି