ଯାଜପୁର ଜିଲ୍ଲା କାଳିଆପାଣି ଥାନା ଟିକରପଡ଼ା ପାହାଡ଼ର ଜଙ୍ଗଲର ଏକ କାଞ୍ଚନ ଗଛରେ ଶିଶୁପୁତ୍ର ସହ ଜଣେ ଯୁବକଙ୍କ ଝୁଲନ୍ତା ଶବ ଠାବ କରାଯାଇଥିଲା। ଏ ସଂକ୍ରାନ୍ତରେ ଏକାଧିକ ପ୍ରତ୍ୟକ୍ଷଦର୍ଶୀ ପୁଲିସକୁ ଖବର ଦେଇଥିଲେ। ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଓ ଏସ୍ଆଇ ଜ୍ୟୋତିରଞ୍ଜନ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ମୃତକ ଜଣକ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ହଇଡ଼ାପଦା ଗାଁର ମଙ୍ଗୁଳୁ ମୁଣ୍ଡାଙ୍କ ପୁଅ ଶ୍ରୀରାମ(୨୫)। ସେ ଟିକରପଡ଼ା ଗାଁର ମଙ୍ଗଲସିଂ ବିରୁଆଙ୍କ ଝିଅ ମୁକୁତେଙ୍କ ବିବାହ କରି ଏଠାରେ ରହୁଥିଲେ।
ଗତକାଲି ଏହି ଦମ୍ପତିଙ୍କ ମଧ୍ୟରେ ପାରିବାରିକ ସମସ୍ୟାକୁ ନେଇ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିଲା। ଶ୍ରୀରାମ ଏକମାତ୍ର ପୁଅ ମଙ୍ଗଲ(୩)କୁ ସାଇକଲରେ ବସାଇ ଗାଁରୁ ବାହାରି ଆସିଥିଲେ। ଅଧାବାଟରେ ଜଙ୍ଗଲରେ ପୁଅର ତଣ୍ଟଚିପି ହତ୍ୟା କରିବା ପରେ ଶ୍ରୀରାମ ନିଜ ପୁଅର ଶବକୁ ଗଛରେ ଝୁଲାଇ ଦେଇଥିଲା। ପରେ ମାନସିକ ଭାରସାମ୍ୟ ହରାଇ ଶ୍ରୀରାମ ସେହି ଗଛରେ ଏକ ଦଉଡ଼ିରେ ନିଜେ ଝୁଲି ପଡ଼ିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ପତ୍ନୀ ମୁକୁତେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତିକରି ଆଇସିପି ଦଫା ୩୦୨ ଆଧାରରେ ଥାନାରେ ଏକ ମାମଲା ୩୯/୨୪ ରୁଜ୍ଜୁ କରାଯାଇଛି। ଏସ୍ପି ଭିନିତ ଅଗ୍ରୱାଲ ଆଜି ଥାନାକୁ ଆସି ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଓ ସମୀକ୍ଷା କରିଥିବା ସୂଚନା ମିଳିଛି।