ସୂଚନା ଅଧିକାର କର୍ମୀ, ‘ମୋ ଦଳ’ର ସମ୍ପାଦକ ପ୍ରଦୀପ ପ୍ରଧାନ ଗିରଫ । ଭୁବନେଶ୍ୱର ମହିଳା ଥାନା ପୁଲିସ୍ ତାଙ୍କୁ ଗିରଫ କରିଛି। ଦୁଇ ବର୍ଷ ତଳେ ଦୂତି ଚାନ୍ଦ ଦେଇଥିବା ଏତଲା ଆଧାରରେ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇଛି ବୋଲି ଭୁବନେଶ୍ୱର ଜୋନ୍ ୧ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି।
ଦୂତିଙ୍କ ଏତଲା ଆଧାରରେ ଉକ୍ତ ଡିଜିଟାଲ ମିଡିଆର ସମ୍ପାଦକଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇ ନଥିଲା। ଏହି ମାମଲାକୁ ନେଇ ପ୍ରଦୀପ ପ୍ରଧାନ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଜାମିନ ଦେଇ ନଥିଲେ। ତଳ କୋର୍ଟକୁ ଯାଇ ବିଚାର ପ୍ରକ୍ରିୟାରେ ସାମିଲ ହେବାକୁ ହାଇକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଯାହା ସୂଚନା ମିଳିଛି, ତା’ ମଧ୍ୟରେ ଦୂତି ଚାନ୍ଦ ମାମଲାଟିକୁ ଉଠାଇ ନେଇଥିଲେ। ତେବେ ପରବର୍ତ୍ତୀ ସମୟରେ ପ୍ରଦୀପ ପ୍ରଧାନଙ୍କୁ କାହିଁକି ଗିରଫ କରାଯାଉ ନାହିଁ କହି ଗତ ଅଗଷ୍ଟ ମାସରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ହାଇକୋର୍ଟ ପୁଲିସ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗତ ଅଗଷ୍ଟ ମାସରୁ ଚୁପ୍ ବସିଥିଲା ପୁଲିସ୍।