ଓମିକ୍ରନ ସଂକ୍ରମଣକୁ ନେଇ ସାରା ବିଶ୍ୱ ଆତଙ୍କ ଭିତରେ ରହିଥିବା ବେଳେ ରାଜଧାନୀର କ୍ୟାପିଟାଲ ହାଇସ୍କୁଲରେ ପଶିଛି କରୋନା। ଦୁଇ ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସମୟରେ କରୋନା ସଂକ୍ରମଣ ବଢିବା ଆଶଙ୍କା ମଧ୍ୟରେ ଗତକାଲି କ୍ୟାପିଟାଲ ହାଇସ୍କୁଲର ୩୭୨ ଜଣ ଛାତ୍ରଛାତ୍ରୀଙ୍କର କୋଭିଡ ଟେଷ୍ଟିଂ ହୋଇଥିଲା। ଓମିକ୍ରନ ସଂକ୍ରମଣ ଭୟ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଚିନ୍ତା ବଢ଼ାଇଛି । ଯଦି ଆଗାମୀ ଦିନରେ କରୋନାର ସଂଖ୍ୟା ବଢେ ଏବଂ ସ୍କୁଲ ବନ୍ଦ ହେଲା ଭଳି ପରିସ୍ଥିତି ଉପୁଜେ ତେବେ ପରୀକ୍ଷାରେ ବାଧା ସୃଷ୍ଟି ହେବ ବୋଲି ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଆଶଙ୍କା ବ୍ୟକ୍ତ କରିଛନ୍ତି । କାରଣ ଚଳିତ ବର୍ଷ ସମେଟିଭ୍ ୧ ଓ ସମେଟିଭ୍ ୨ ଆଧାରରେ ପରୀକ୍ଷା ହେବାକୁ ଥିବାବେଳେ ଓମିକ୍ରନ ସଂକ୍ରମଣ ଭୟ ଭିତରେ ସମେଟିଭ୍ ୧ ପରୀକ୍ଷା ଯଦି ପ୍ରଭାବିତ ହେଲା ତେବେ ଛାତ୍ରଛାତ୍ରୀମାନଙ୍କ ମୂଲ୍ୟାୟନ କିଭଳି ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଓମିକ୍ରନ ସଂକ୍ରମଣ ଭୟକୁ ନେଇ ସମସ୍ତେ କୋଭିଡ ଗାଇଡଲାଇନ ମାନିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶ ଦେଇଛି । ଗାଇଡଲାଇନ ଅନୁଯାୟୀ ଥର୍ମାଲ ସ୍କାନିଙ୍ଗ୍, ହାତ ସାନିଟାଇଜ କରିବା ସହିତ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେବାକୁ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ସଚତନ କରାଉଛନ୍ତି । ବର୍ତମାନ ସକାଳ ୯ ରୁ ମଧ୍ୟାହ୍ନ ୧.୩୦ ମିନିଟ୍ ପର୍ଯ୍ୟନ୍ତ ଷଷ୍ଠ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ପାଠପଢ଼ା ଯାଉଛି।