ଝଙ୍କଡ଼ ବାସିନୀ ମା ଶାରଳାଙ୍କ ପୀଠରେ ପାର୍ବଣ ପୂଜା ପାଇଁ ପ୍ରସ୍ତୁତି।।
ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀଙ୍କ ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଆସନ୍ତା ୨୯ ମୂଳାଷ୍ଟମୀ ଠାରୁ ଅକ୍ଟୋବର ୧୨ ମଙ୍ଗଳବାର ମହାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ୧୪ ଦିନଧରି ପାଳିତ ହେବାକୁ ଯାଉଛି। ଏହି ଉପଲକ୍ଷେ ଗତ ୨୧ ରେ ସାରଳା ମନ୍ଦିର କାର୍ଯ୍ୟାଳୟରେ ଚୁଡାନ୍ତ ପ୍ରସ୍ତୁତି ବୈଠକ ମନ୍ଦିର ପ୍ରଶାସନର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମା ଙ୍କ ବଡ ପଣ୍ଡା ପ୍ରଜ୍ଞାଦୀପ୍ତ ପଣ୍ଡା, ପରିଚ୍ଛା ଦୁର୍ଗା ଚରଣ ପଣ୍ଡା, ନିତ୍ୟାନି ପୁରୋହିତ ସୁଧୀର ଚନ୍ଦ୍ର ଦାଶ, ମା ଙ୍କ ବରିଷ୍ଠ ସେବାୟତ ଓ ମନ୍ଦିରର ତହସିଲଦାର ରାଜକିଶୋର ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଶାରଦୀୟ ପାର୍ବଣ ପୂଜା ଉପଲକ୍ଷେ ପ୍ରତ୍ୟହ ପ୍ରାତଃ ୪ ଟା ରେ ଡାକ ବାଜି ଯନ୍ତ୍ର ଯୋଗେ ଦେବୀ ସ୍ତୁତି ମନ୍ତ୍ର ପାଠ, ପହୁଡ ଫିଟା ଓ ମଙ୍ଗଳ ଆଳତୀ ପରେ ପରେ ସକାଳ ୭ ଟା ରେ ମାର୍ଜନା, ପାର୍ଶ୍ୱ ଦେବୀ ପୂଜା, ୮ଟା ରେ ଦୈନିକ ପାଞ୍ଜି ପାଠ, ଭୋଗ ପୂଜା, ସୂର୍ଯ୍ୟ ପୂଜା, ଚଣ୍ଡି ପାଠ, ବଡସିଂହର ବେଶ, ଷୋଡ଼ଷ ଉପଚାର ପୂଜା ଏବଂ ପ୍ରଥମ ପ୍ରହର ଓ ଦିତୀୟ ପ୍ରହର ପୂଜା ପରେ ପହଡ ପଡିବ। ଅପରାହ୍ନ ୩ ଟା ରେ ପହଡ ଖୋଲିବା ପରେ ସନ୍ଧ୍ୟା ୬ଟା ୩୦ ମିନିଟ୍ ରେ ସନ୍ଧ୍ୟା ଆଳତୀ, ସନ୍ଧ୍ୟା ୮ଟା ୩୦ ମିନିଟ୍ ରେ ଶୂଦ୍ର ମୁନି ସାରଳା ଦାସ ଙ୍କ ବିରତ ଚଣ୍ଡୀ ପୁରାଣ ପାଠ ଓ ପ୍ରତିଦିନ ୧୦ ଟା ରେ ସମ୍ପୂର୍ଣ୍ଣ ସୁନାବେଶ ଅନୁଷ୍ଠିତ ହେବ। ଆସନ୍ତା ଅକ୍ଟୋବର ୭ ତାରିଖ ଠାରୁ ନବ ପତ୍ରିକା ଉପଲକ୍ଷେ ପ୍ରତ୍ୟହ ରାତ୍ର ୧୦ ଟା ରେ ନଗର ପରିକ୍ରମା ବା ଦାଣ୍ଡ ଯାତ୍ରା ଅନୁଷ୍ଠିତ ହେବ। ଅକ୍ଟୋବର ୧୦,୧୧,୧୨ ତିନି ଦିନ ଷଷ୍ଠୀ,ସପ୍ତମୀ,ମହାଷ୍ଟମୀ ଉପଲକ୍ଷେ ପ୍ରତିଦିନ ସଂଧ୍ୟାରେ ରେ ମହିଷାମର୍ଦ୍ଦିନୀ ବେଶରେ ଶ୍ରଦ୍ଧାଳୁ ଭକ୍ତମାନେ ମା ଙ୍କ ଦର୍ଶନ ଲାଭ କରିବେ। ରାତ୍ର ୧୦ ଟା ରେ କାଳକା ନୃତ୍ୟ ସହିତ ପିଠ ପରିକ୍ରମା କରିବେ। ଏହାପରେ ଅକ୍ଟୋବର ୧୨ ମଙ୍ଗଳ ବାର ମହାଷ୍ଟମୀ ଦିନ ରାତି ୩ ଟା ରେ ସନ୍ଧି ପୂଜା ବସିବ। ୧୩ ଓ ୧୪ ଦୁଇ ଦିନ ବିଶ୍ରାମ ପରେ ୧୫ ଦିନ ଦଶହରା ପାଳନ କରାଯିବ ବୋଲି ବୈଠକରେ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ସମସ୍ତ ନୀତିକାନ୍ତ ଓ ଯାନିଯାତ୍ରା ଅନୁଷ୍ଠିତ ହେବା ନେଇ ସାରଳା ସାହିତ୍ୟ ,ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ସୂଚନା ପ୍ରଦାନ କରିଛନ୍ତି।।
#NNSODIA