ତାଳଚେର(ଏନ୍ଏନ୍ଏସ୍): ଆଜିଠାରୁ ଆରମ୍ଭ ହେବ ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା । ବିଶ୍ୱ ପ୍ରସିଦ୍ଧ ଏହି ଯାତ୍ରା ଓ ୧୯ ତମ ଲୋକ ମହୋତ୍ସବ ମଙ୍ଗଳବାରଠାରୁ ଗୋପାଳଗଡ଼ସ୍ଥିତ ମାଙ୍କ ପୀଠରେ ଅନୁଷ୍ଠିତ ହେବ। ଆଜିଠାରୁ ଏହି ମେଳା ଆରମ୍ଭ ହୋଇ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଚଳଚଞ୍ଚଳ ହୋଇ ଉଠିଛି ତାଳଚେର ସହର । ଅନ୍ୟପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଳଚେର ଉପଖଣ୍ଡ ତଥା ତାଳଚେର ଉପଜିଲ୍ଲାପାଳ ଏବଂ ଟ୍ରଷ୍ଟବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ଚଳିତ ବର୍ଷ ମାଙ୍କ ମନ୍ଦିରଠାରୁ ମାତ୍ର କିଛି ମିଟର ଦୂରରେ ଉଭାସ୍ଥଳ ହୋଇଥିବାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ, ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି। ସମଗ୍ର ପୀଠକୁ ସିସିଟିଭି ନଜରରେ ରଖାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସେହିପରି ଖରା ଓ ଅଂଶୁଘାତକୁ ଦୃଷ୍ଟିରେ ରଖି ମେଡିକାଲ୍ ଟିମ୍ ବ୍ୟବସ୍ଥା କରାଯାଇଛି।