ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ପରଲୋକ ଘଟିଛି । ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରତିଟି ପ୍ରସଙ୍ଗରେ ବଳିଷ୍ଠ ଜ୍ଞାନ ରଖିଥିବା ଜିମୁତ ମଙ୍ଗରାଜଙ୍କ ଅଚାନକ ମୃତ୍ୟୁ ଖବର ସଭିଙ୍କୁ ବିସ୍ମିତ କରିଛି । ରବିବାର ସନ୍ଧ୍ୟାରେ ୭ଟା ସମୟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଯାଆଁଳା ମେଡ଼ିକାଲ ସମ୍ମୁଖରେ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ନେଇ ଯାଆଁଳା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ବିଭିନ୍ନ ପ୍ରତିଷ୍ଠିତ ଗଣମାଧ୍ୟମରେ ସାମ୍ବାଦିକତା କରିଆସିଛନ୍ତି ଜିମୁତ । ସେହିପରି ବିଜୁ ପଟ୍ଟନାୟକ ଓଡ଼ିଶା ରାଜନୀତି ସମ୍ପର୍କରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି । ରାଜ୍ୟର ପ୍ରଥମ ରାଜନୈତିକ ଖବରକାଗଜ ‘ନେତା’ର ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରି ନିଜର ପରିଚୟକୁ ପରିପୃଷ୍ଠ କରିଛନ୍ତି । ସେହିପରି ୩ଟି ପିଏଚଡି ଡିଗ୍ରୀ ହାସଲ କରିଥିଲେ ଜିମୂତ ମଙ୍ଗରାଜ । ଏକାଧିକ ସାଂସ୍କୃତିକ ଓ ସାମ୍ବାଦିକ ସଂଘ ସହ ଜଡ଼ିତ ରହି ଅନେକ କାର୍ଯ୍ୟକ୍ରମ ରାଜ୍ୟରେ ଜାରି ରଖିଥିଲେ ।
ତାଙ୍କ ପରଲୋକରେ ରାଜ୍ୟର ବିଭିନ୍ନ ମହଲ ବିଶେଷ କରି ସାମ୍ବାଦିକ ମହଲରେ ଶୋକ ପ୍ରକାଶ ପାଇଛି। ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସାମ୍ବାଦିକତା କ୍ଷେତ୍ର ପ୍ରତି ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ବୋଲି ସେ କହିଛନ୍ତି।