ଉତ୍କଟ ପାନୀୟ ଜଳ ସଂକଟ; ଗୋଟିଏ ନଳକୂପ ଉପରେ ପୂରା ଗାଁ ଲୋକ ନିର୍ଭରଶୀଳ

ଉତ୍କଟ ପାନୀୟ ଜଳ ସଂକଟ; ଗୋଟିଏ ନଳକୂପ ଉପରେ ପୂରା ଗାଁ ଲୋକ ନିର୍ଭରଶୀଳ

Spread this article

ଉତ୍କଟ ହୋଇଛି ପାନୀୟ ଜଳ ସଙ୍କଟ | ଟୋପାଏ ପାଣି ପାଇଁ ଲୋକେ ଡହଳବିକଳ | ଗୋଟିଏ ନଳକୂପ ଉପରେ ଗାଁ ସାରା ଲୋକ ନିର୍ଭରଶୀଳ | ତେବେ ପାଣି ପାଇଁ ମହିଳାମାନଙ୍କୁ ରାତି ଅନିଦ୍ରା ହୋଇ ଘଣ୍ଟା ଘଣ୍ଟା ଧରି ନଳକୂପ ନିକଟରେ ଛିଡା ହେବାକୁ ପଡୁଛି | ଗାଁର ମହିଳାମାନେ ଦିନରାତି ପାଳି କରି ଏହି ନଳକୂଅରୁ ସଂଗ୍ରହ କରୁଛନ୍ତି ପାନୀୟଜଳ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ବ୍ଲକର କପାଳେଶ୍ୱର ପଞ୍ଚାୟତରେ |

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଥିବା ପଞ୍ଚାୟତରେ ଉତ୍କଟ ହେବାରେ ଲାଗିଛି ପାନୀୟଜଳ ସଂକଟ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଶୁଖିଯାଇଛି ଗାଡିଆ ପୋଖରୀ | ସାଧରଣ ଜନତାଙ୍କ ସହିତ ପଶୁପକ୍ଷୀମାନେ ମଧ୍ୟ ପାଣି ଟୋପାଏ ପାଇଁ ହେଉଛନ୍ତି ଡହଳବିକଳ | ଏହି ପଞ୍ଚାୟତର ହଳଦୀଢିଅ, ଗରୁଆଳ, ଆଳିଜଙ୍ଗା ଓ ସମଲପୁର ଗାଁକୁ ପାନୀୟଜଳ ଯୋଗାଇବାକୁ ହଳଦୀଢିଅ ଗାଁରେ ବୋରୱେଲ୍ ଖୋଳାଯାଇଛି | ଏହି ୪ଟି ଗାଁକୁ ପାନୀୟ ଜଳ ଯୋଗାଇବାକୁ ମାଟିତଳେ ପାଇପ୍ ବିଛାଯାଇ ବ୍ୟବସ୍ଥା ମଧ୍ୟ ହୋଇଛି । ହେଲେ ଦିର୍ଘଦିନ ହେଲାଣି ସମଲପୁର ଗାଁକୁ ପାଇପ୍ ରେ ପାଣି ଯୋଗାଣ ବନ୍ଦ ହୋଇଗଲାଣି । ଗାଁରେ ୩ଟି ନଳକୂଅ ଥିଲେ ମଧ୍ୟ ୨ଟି ନଳକୂଅରୁ ବାହାରୁଛି ଦୂଷିତ ପାଣି | ଫଳରେ ଏହା ପାନୀୟ ଜଳ ଭାବେ ଉପଯୋଗୀ ହୋଇପାରୁନି | ସ୍ୱାଇଁ ସାହି ନଳକୂଅ ଏବେ ସାରା ଗାଁଟା ଯାକର ଲୋକଙ୍କୁ ପାନୀୟଜଳ ଯୋଗାଉଛି । ଗୋଟିଏ ନଳକୂଅରୁ ପାନୀୟଜଳ ସଂଗ୍ରହ କରିବାକୁ ଗାଁର ମହିଳାମାନେ ଦିନରାତି ପାଳି କରି ଜଗିକି ରହୁଛନ୍ତି | ଫଳରେ ନଳକୂଅ ନିକଟରେ ମହିଳାମାନଙ୍କୁ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡୁଛି | ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଥିବା ପଞ୍ଚାୟତରେ ଏପରି ପାନୀୟଜଳ ସଂକଟ ଏବେ ଚିନ୍ତାର କାରଣ ହୋଇଛି ।

ଏନ ଏନ ଏସ ଓଡ଼ିଆ ରାଜ୍ୟ