ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅନାବିଳ ସମ୍ପର୍କ ରହିଛି । ଭକ୍ତ ଓ ଭଗବାନଙ୍କ ସମ୍ପର୍କ କାହାଣୀ ମଧ୍ୟ ଆମେ ଅନେକ ଶୁଣିଛେ । କିନ୍ତୁ ଭକ୍ତଙ୍କୁ ଦେଖା କରିବାକୁ ଭଗବାନଙ୍କ ଚଳନ୍ତି ପ୍ରତିମା ଆସିବାର ଶୁଣିଛନ୍ତି କି ? କେନ୍ଦ୍ରାପଡା ସହରର ମଢିଆଳ ବଜାରର ଜଗୁ ସାହୁ ନାମକ ଜଣେ ଭକ୍ତଙ୍କ ଦ୍ବାରା ପ୍ରତିଷ୍ଠିତ ବୁଢା ଗୋସେଇଁଙ୍କ ମନ୍ଦିରକୁ ଆସନ୍ତି ବଳଦେବଜୀୟୁଙ୍କ ଚଳନ୍ତି ପ୍ରତିମା । ବୁଢା ଗୋସେଇଁଙ୍କ ଛାମୁରେ ପ୍ରଭୁ ବଳଦେବଜୀୟୁଙ୍କ ଚଳନ୍ତି ପ୍ରତିମା ବିରାଜମାନ କରନ୍ତି । ସ୍ବର୍ଗତଃ ଜଗୁଙ୍କ ପରିବାରଙ୍କର ବିଶ୍ବାସ ରହିଛି କି ଜଗୁ ସାହୁଙ୍କ ଆତ୍ମା ଅପେକ୍ଷା କରିଥାଏ ଏଠି ମହାପ୍ରଭୁଙ୍କ ଦର୍ଶନ ପାଇଁ । ବର୍ଷ ବର୍ଷ ଧରି ଏମିତି ଏକ ପ୍ରଥା ପ୍ରଚଳିତ ହୋଇଆସୁଛି କେନ୍ଦ୍ରାପଡା ସହରର ମଢିଆଳ ବଜାରର ବୁଢା ଗୋସେଇଁଙ୍କ ନିକଟରେ । ଏକଦା ବଳଦେବଜୀୟୁ ମହାପ୍ରଭୁଙ୍କର ପରମ ଭକ୍ତ ଥିଲେ ମଢିଆଳ ବଜାରର ଜଗୁ ସାହୁ । ସେ ବୁଢା ଗୋସେଇଁଙ୍କ ମନ୍ଦିର ପ୍ରିତିଷ୍ଠା କରିଥିଲେ । ପ୍ରଥମାଷ୍ଟମୀ ତିଥିରେ ଭକ୍ତ ଜଗୁ ସାହୁଙ୍କର ସ୍ବର୍ଗାରୋହଣ ହୋଇଥିଲା । ପ୍ରତିବର୍ଷ ଏହି ଦିନ ବଡଦେଉଳରୁ ବଳଦେବଜୀୟୁଙ୍କ ଚଳନ୍ତି ପ୍ରତିମାଙ୍କୁ ବିମାନରେ ବସାଇ ଶୋଭାଯାତ୍ରାରେ ଅଣାଯାଏ । ଆଜି ମଧ୍ୟ ମହାପ୍ରଭୁ ବଳଦେବଜୀୟୁଙ୍କର ଚଳନ୍ତି ପ୍ରତିମାଙ୍କୁ ବାଜାବାଣ ରୋଷଣୀରେ ଶୋଭାଯାତ୍ରାରେ ବୁଢାଗୋସେଇଁଙ୍କ ମନ୍ଦିରକୁ ଅଣାଯାଇଥିଲା । ଏଠାରେ ଅପେକ୍ଷା କରିଥିଲେ ବୁଢା ଗୋସେଇଁ । ବୁଢା ଗୋସେଇଁଙ୍କ ଛାମୁରେ ମହାପ୍ରଭୁ ବଳଦେବଜୀୟୁଙ୍କ ମିଳନ ହୋଇଥିଲା । ଧୂପଦୀପ ନୈବେଦ୍ୟ ଦେଇ ଜଗୁ ସାହୁଙ୍କ ସାହି ଲୋକେ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥିଲେ ।ଏହାପରେ ବଡ ଦେଉଳକୁ ଫେରିଆସିଥିଲେ ବଳଦେବଜୀୟୁଙ୍କ ବିଜେ ପ୍ରତିମା ।