ପୁରୀ: ଜ୍ୱରରେ ପୀଡିତ ଶ୍ରୀଜୀଉ । ସ୍ନାନଯାତ୍ରା ଓ ଗଜବେଶ ଦର୍ଶନ ପରେ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାଷିତ ଜଳରେ ଗାଧୋଇବା ପରେ ଜ୍ୱରରେ ପୀଡିତ ଶ୍ରୀଜୀଉ । ୧୫ ଦିନ ଧରି ଅଣସର ପିଣ୍ଡିରେ ଜ୍ୱରରେ ଆକ୍ରାନ୍ତ ମହାପ୍ରଭୁଙ୍କ ଅଣବସର ଗୁପ୍ତ ନୀତି କରାଯିବ । ଆଉ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଆଜିଠୁ ଆରମ୍ଭ ହୋଇଛି ଉପଚାର । ଜ୍ୱର ହେବାପରେ ଶ୍ରୀଜୀଉଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଅଣସର ପିଣ୍ଡି ଯାଇଥାନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପରିକ ଉପଚାର କରାଯାଏ ।
ଅଣବସର ସମୟରେ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନ କରିବା ଦ୍ୱାରା ଦାରୁ ବିଗ୍ରହଙ୍କ ଦର୍ଶନର ସମାନ ଫଳ ପ୍ରାପ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେବେ କୋଭିଡ୍ କଟକଣା ପାଇଁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୌଣସି ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ନାହିଁ । ବ୍ରହ୍ମଗିରି ଅଲାରନାଥ ମନ୍ଦିରର ଚାରିପାଖରେ ୧୪୪ ଧାରା ଜାରି କରାଯାଇଛି । ଭୋର୍ ୪ଟା ସମୟରେ ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ଆଦି ହେଉଛି । ସୂର୍ଯ୍ୟପୂଜା ଓ ରୋଷହୋମ ନୀତି ପରେ ମଧ୍ୟାହ୍ନ ୧୨ଟାରେ ସକାଳ ଧୂପ ଓ ଗୋଟାଏରେ ଦ୍ୱିପ୍ରହର ଧୂପ ହେବ । ବର୍ଷକ ବାର ମାସ ମଧ୍ୟରୁ ପତି ମହାପାତ୍ର ବା ବ୍ରାହ୍ମଣମାନଙ୍କ ସେବା ୧୧ ମାସ ଏବଂ ଦଇତାମାନଙ୍କ ସେବା ଏକ ମାସ । ଏହା ଆଷାଢ଼ କୃଷ୍ଣ ପ୍ରତିପଦାରୁ ନୀଳାଦ୍ରୀ ବିଜେ ଯାଏଁ ଚଉଦଦିନ ଧରି କରାଯାଇଥାଏ । ଏହା ପରେ ସୁସ୍ଥ ହେବେ କାଳିଆ ଠାକୁର । ଏପଟେ ଠାକୁର ଅଣସର ପିଣ୍ଡି ସାମନାରେ ପଟିଦିଅଁଙ୍କ ପୂଜାର୍ଚ୍ଚନା କରାଯାଏ ।