ମହିଳାଙ୍କୁ ଅସଦାଚରଣ କରିବା ଓ ତା’ସାଙ୍ଗକୁ ଦାଦାଗିରି ଦେଖାଇବା ଜଣେ ଯୁବକଙ୍କୁ ପଡିଛି ମହଙ୍ଗା । ଠେଙ୍ଗା ମାଡରେ ଯୁବକଙ୍କ ଦାଦାଗିରି ନିଶା ଛଡାଇ ଦେଲେ ସମ୍ପୃକ୍ତ ମହିଳା । ମହିଳା ଜଣକ ଠେଙ୍ଗାରେ ଯୁବକଙ୍କୁ ମାଡ ମାରୁଥିବା ଦୃଶ୍ୟ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ସୁନ୍ଦରପୁର ଗ୍ରାମରେ । ସୁନ୍ଦରପୁର ଗ୍ରାମର ଲିପୁ ମହାରଣା ଗାଁରେ ଦାଦାଗିରି କରିବା ସହ ମହିଳାମାନଙ୍କୁ ଅସଦାଚରଣ କରିଥାନ୍ତି । ଫଳରେ ଗାଁ ଲୋକେ ତାଙ୍କୁ ଡରି ଡରି ରହିଥାନ୍ତି । ତାଙ୍କର ଏହି ଦାଦାଗିରି ଯେ ଦିନେ ମହଙ୍ଗା ପଡିବ ସେ କଥା ଲିପୁ ମହାରଣାଙ୍କୁ ଜଣାନଥିଲା । ମଙ୍ଗଳବାର ସୁନ୍ଦରପୁର ଗ୍ରାମ ତଳସାହିର ପ୍ରତିମା ପରିଡାଙ୍କୁ ଲିପୁ ଅସଦାଚରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଲିପୁଙ୍କୁ ପାନେ ଦେବା ପାଇଁ ପ୍ରତିମା ଏକ ଠେଙ୍ଗାରେ ତାଙ୍କୁ ନିରଧୁମ ଛେଚିଥିଲେ । ପରେ ପରେ ପ୍ରତିମାଙ୍କ ଆତ୍ମୀୟମାନେ ମଧ୍ୟ ଲିପୁଙ୍କୁ ଘେରି ଯାଇଥିଲେ । ପ୍ରତିମାଙ୍କ ସହ ତଳସାହିର ରୁଷିଆ ପରିଡା ଓ ଦାସିଆ ପରିଡା ମଧ୍ୟ ଠେଙ୍ଗାରେ ବୁହେ ଛେଚି ଦେଲେ । ଏଭଳି ଛେଚିଲେ ଯେ ଦାଦାଗିରି ଦେଖାଉଥିବା ଲିପୁ ମହାରଣାଙ୍କ ଦାଦାଗିରି ନିଶା ଛଡାଇ ଦେଲେ ବୋଲି କହିଛନ୍ତି ଗ୍ରାମବାସୀ । ଏହି ଘଟଣା ପ୍ରଘଟ ହେବା ପରେ ପୋଲିସ ପକ୍ଷରୁ କାର୍ଯ୍ୟ।ନୁଷ୍ଠାନ ଆରମ୍ଭ ହୋଇଛି । ପରେ ଟାଙ୍ଗୀ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଉଠାଇ ଆଣିଛି । ଟାଙ୍ଗୀ ଥାନାରେ ଦୁଇଟି ଭିର୍ଣ୍ଣ ଭିର୍ଣ୍ଣ ମାମଲା ରୁଜୁ ହୋଇଛି । ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।