ଚାଷୀଙ୍କ ବର୍ଷକର ଆହାର ଛଡାଇ ନେଇଥିଲା ବାତ୍ୟା ଜବାଦ | ବାତ୍ୟା ପ୍ରଭାବରୁ ଯାହା କିଛି ଫସଲ ବଞ୍ଚି ଯାଇଥିଲା ଅତି ଯତ୍ନର ସହ ଚାଷୀ ତାକୁ ଅମଳ କରିଥିଲା | ନିଜ କଷ୍ଟ ଉପାର୍ଜିତ ଫସଲକୁ ବିକ୍ରି କରି ଦୁଇ ପଇସା ପାଇବ ବୋଲି ଆଶା କରିଥିଲା ଚାଷୀ | କିନ୍ତୁ ଧାନ ବିକ୍ରିରେ ଏବେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି | ଫଳରେ ଚାଷୀ ଧାନ ବିକ୍ରି କରିନପାରି ଏବେ ମୁଣ୍ଡରେ ହାତ ଦେଇ ବସିଛି | ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡାର କୁଞ୍ଜାମ ସମବାୟ ସମିତି ଧାନ ମଣ୍ଡିରେ । ପାଲଲହଡା ଉପଖଣ୍ଡର କୁଞ୍ଜାମ ସମବାୟ ସମିତି ଦ୍ୱାରା ଏ ବର୍ଷ ବିକ୍ରି ହେଉଛି ଧାନ | ଟୋକନ ବ୍ୟବସ୍ଥାରେ କ୍ରମିକ ସଂଖ୍ୟା ଅନୁଯାୟୀ ଧାନ ବିକ୍ରିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଫଳରେ ପଛରେ ଟୋକାନ କାଟିଥିବା ଚାଷୀଙ୍କ ଧାନ ଆଗ ବିକ୍ରି ହେଉଥିବା ବେଳେ ଆଗୁଆ ନମ୍ବର କରିଥିବା ଚାଷୀଙ୍କ ଧାନ ବିକ୍ରି ନ ହୋଇ ପଡ଼ିରହିଛି । ଏପରିକି ଧାନ ବିକ୍ରି ପାଇଁ ନାମ ରେଜିଷ୍ଟ୍ରସନ ସମୟରେ ମଧ୍ୟ ବହୁ ଅନିୟମିତତା ହୋଇଥବା ଚାଷୀମାନେ ଅଭିଯୋଗ କରିଛନ୍ତି | ମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି | ଏ ସମ୍ପର୍କରେ ସୋସାଇଟି ସେକ୍ରେଟାରୀ ସଞ୍ଜୟ ବିଶ୍ୱାଳଙ୍କୁ ପଚାରିବାରୁ ଏ କଥା ମିଥ୍ୟା ବୋଲି କହି ଖଣ୍ଡନ କରିଛନ୍ତି ।