ରିମାଣ୍ଡରେ ଗଲେ ଶର୍ମିଷ୍ଠା ରାଉତ | କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ, ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନ୍ର ମାଲିକ ରଂଜନ ନାୟକଙ୍କୁ ମଧ୍ୟ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଟିମ୍ | ଏଥିପାଇଁ ଆଜି ଚାନ୍ଦବାଲି ଜେଏମଏଫସି କୋର୍ଟରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍ | କ୍ରାଇମବ୍ରାଞ୍ଚ ୧୦ ଦିନ ପାଇଁ ରିମାଣ୍ଡ ଆବଦେନ କରିଥିବାବେଳେ କୋର୍ଟ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।
ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ସହଯୋଗରେ ଭଦ୍ରକ ନଳାଙ୍ଗଠାରୁ ‘ସମ୍ପୂର୍ଣ୍ଣ’ ନାମକ ୱେବ ପୋର୍ଟାଲର ମୁଖ୍ୟ ଶର୍ମିଷ୍ଠାଙ୍କୁ ଗତକାଲି ଗିରଫ କରାଯାଇ ଥିଲା | ଶର୍ମିଷ୍ଠାଙ୍କୁ ପଚରାଉଚରା ପରେ ମାନସ ସ୍ୱାଇଁ ହତ୍ୟା ମାମଲା ଉପରୁ ପରଦା ହଟିବ ବୋଲି କୁହାଯାଉଛି । ଶର୍ମିଷ୍ଠାଙ୍କୁ ଜେରା ବେଳେ ସେ କାହିଁକି କ୍ୟାମେରା ମ୍ୟାନ ମାନସ ସ୍ବାଇଁଙ୍କୁ ହତ୍ୟା କରିଥିଲେ ? ହତ୍ୟାକାଣ୍ଡ ପଛରେ ମେମୋରୀ ଚିପ ନା ଆଉ କିଛି କାରଣ, ଏହି ହତ୍ୟାକାଣ୍ଡରେ ତାଙ୍କୁ କିଏ ସବୁ ସହଯୋଗ କରିଥିଲେ ? ଏଭଳି ଅନେକ ପ୍ରଶ୍ନକୁ ନେଇ ତଥ୍ୟ ଉଗାରିବ କ୍ରାଇମବ୍ରାଞ୍ଚ ।