ବାପା, ମା’ ମରିଗଲା ପରେ ପ୍ରମାଣ ହୋଇପାରୁନାହିଁ ମୃତ କି ଜୀବିତ । ପ୍ରମାଣ ପତ୍ର ଅଭାବ ପାଇଁ ହଟହଟା ରେ ପଡିଲେ ଦୁଇ ଭଉଣୀ । ମୃତ୍ୟୁକୁ ପ୍ରମାଣିତ କରିପାରିଲେନି ବଲାଙ୍ଗୀର ଜିଲ୍ଲା ଆଗଲପୁରର ଦୁଇ ନାବାଳିକା ଭଉଣୀ। ତେଣୁ ଅନାଥ ହେବାର ୬ ମାସ ପରେ ବି ସେମାନେ ରାଜ୍ୟ ସରକାରଙ୍କ ‘ଆଶୀର୍ବାଦ’ ଯୋଜନାରେ ସାମିଲ ହୋଇପାରିନାହାନ୍ତି। ଏବେ ଏହି ବାପା-ମା’ ଛେଉଣ୍ଡ ଭଉଣୀଦ୍ବୟ ନିଜର ଯୁକ୍ତ ୨ ପଢ଼ୁଆ ବଡ଼ ଭଉଣୀ ଉପରେ ନିର୍ଭରଶୀଳ। ୭ଦିନ ପୂର୍ବରୁ ଅନେକ ପ୍ରଚେଷ୍ଟା ପରେ ୨ହଜାର ଟଙ୍କା ଖର୍ଚ୍ଚ କରି ସେମାନଙ୍କ ମା’, ବାପାଙ୍କ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରିଛନ୍ତି।
ତେଣୁ ଶୀଘ୍ର ସେମାନେ ଆଶୀର୍ବାଦ ଯୋଜନାର ଲାଭ ପାଇବେ ବୋଲି ଆଶାବାଦୀ ଅଛନ୍ତି। ତେବେ ଖାଲି ଏହି ଦୁଇ ଭଉଣୀ ନୁହନ୍ତି, ରାଜ୍ୟରେ ୧୪ ହଜାର ଶିଶୁ, କିଶୋର ଏମିତି ବିଭିନ୍ନ କାରଣରୁ ଏହି ଯୋଜନାର ଲାଭ ପାଇପାରୁନାହାନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅଭିଭାବକଙ୍କ ମୃତ୍ୟୁ ପ୍ରମାଣପତ୍ର ଦାଖଲ ହୋଇପାରିନାହିଁ କିମ୍ବା ପ୍ରମାଣପତ୍ର ଦାଖଲ ବିଳମ୍ବିତ ହୋଇଛି। ଆଉ କିଛି ଜଣଙ୍କ ଦସ୍ତାବିଜ୍ ଯାଞ୍ଚ କରାଯାଉଛି ବୋଲି ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ କହୁଛି।
ଡାକ୍ତରଖାନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଡାକ୍ତର ମୃତ୍ୟୁ ରିପୋର୍ଟ ଆଧାର କରି ପଞ୍ଚାୟତ କିମ୍ବା ନଗରପାଳିକା ପକ୍ଷରୁ ମୃତ୍ୟୁ ପ୍ରମାଣପତ୍ର ଦିଆଯାଇଥାଏ। ସେହିପରି ଘରେ ମୃତ୍ୟୁ ହୋଇଥିଲେ ଏ ଦିଗରେ ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ କିମ୍ବା ଅଙ୍ଗନବାଡ଼ି କର୍ମୀଙ୍କ ରିପୋର୍ଟ ଆଧାରରେ ଏହି ପ୍ରମାଣପତ୍ର ମିଳିଥାଏ। କିନ୍ତୁ ଏ କ୍ଷେତ୍ରରେ ସହାୟତା ପାଇଁ ପରିବାରରେ ମୁଖ୍ୟ କେହି ନଥିଲେ ପ୍ରମାଣପତ୍ର ପାଇବାରେ ସମସ୍ୟା ହେଉଛି। ଅଧିକାଂଶ କ୍ଷେତ୍ରରେ ଡାକ୍ତରଖାନା ଏବଂ ସ୍ଥାନୀୟ ପ୍ରଶାସନିକ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ପ୍ରମାଣପତ୍ର ଦେବାରେ ଅଯଥାରେ ବିଳମ୍ବ କରୁଛନ୍ତି। ତେଣୁ ୧୪ ହଜାର ହିତାଧିକାରୀ ଏହି ଯୋଜନାର ଲାଭ ନେଇ ନପାରିବାର ଏହା ଏକ କାରଣ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ୨୦୨୦ ଏପ୍ରିଲ ୧ ତାରିଖରୁ ୨୦୨୧ ସେପ୍ଟେମ୍ବର ୧୫ତାରିଖ ପର୍ଯ୍ୟନ୍ତ ମହାମାରୀ ସମୟରେ କୋଭିଡ୍ କିମ୍ବା ଅଣକୋଭିଡ୍ ଯୋଗୁଁ ଉଭୟ ପିତାମାତା କିମ୍ବା ସେମାନଙ୍କ ମଧ୍ୟରୁ ଉପାର୍ଜନକ୍ଷମ ଜଣେ ଅଭିଭାବକଙ୍କ ମୃତ୍ୟୁ ହୋଇଥିଲେ ରାଜ୍ୟ ସରକାର ତାଙ୍କୁ ଆଶୀର୍ବାଦ ଯୋଜନାରେ ଥଇଥାନ କରିବେ। ସାବାଳକ ହେବା ପର୍ଯ୍ୟନ୍ତ ସେମାନେ ଏହି ଯୋଜନାର ଲାଭ ପାଇବେ। ରାଜ୍ୟରେ ଏମିତି ପ୍ରାୟ ୩୪ ହଜାର ନାବାଳକ/ନାବାଳିକା ହିତାଧିକାରୀ ଅଛନ୍ତି।
କିନ୍ତୁ ସେମାନଙ୍କ ମଧ୍ୟରୁ ପାଖାପାଖି ୧୪ ହଜାର ଶିଶୁ, କିଶୋର ସେମାନଙ୍କ ପିତାମାତାଙ୍କ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରିପାରିନାହାନ୍ତି। ବାକି ୨୦ ହଜାରଙ୍କ ମଧ୍ୟରୁ ଉଭୟ ଅଭିଭାବକ ହରାଇଥିବା ହଜାରେ ହିତାଧିକାରୀଙ୍କୁ ମାସିକ ୨୫ଶହ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି। ବାକିମାନଙ୍କୁ ୧୫ ଶହ ଟଙ୍କା ମିଳୁଛି। ଉପାର୍ଜନକ୍ଷମ ଜଣେ ଅଭିଭାବକ ହରାଇଥିବା ପିଲାଙ୍କ ଅବସ୍ଥା ଶୋଚନୀୟ ଥିଲେ ସେମାନଙ୍କୁ ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି। ଉଭୟ ଅଭିଭାବକଙ୍କୁ ହରାଇ ଅସହାୟ ହୋଇ ପଡ଼ିଥିବା ୬୦ଜଣ ବାଳାଶ୍ରମରେ ରହୁଛନ୍ତି।