ଦେଶରେ କରୋନା ସଂକ୍ରମଣ ଏବେ ଶୀର୍ଷ ସ୍ତରରେ ପହଞ୍ଚିଛି | ତେବେ ମହାମାରୀ ବିରୋଧରେ ଲଢେଇ ପାଇଁ କୋଭିଡ ଟିକା ସାଜିଛି ପ୍ରମୁଖ ଅସ୍ତ୍ର | ଭାରତରେ ମୁଖ୍ୟତଃ ଦୁଇ ପ୍ରକାର ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ ଦିଆଯାଉଛି | ଏବଂ ଏହା କେବଳ ସରକାରୀ ମାଧ୍ୟମରେ ଉପଲବ୍ଧ ହୋଇପାରୁଛି । କିନ୍ତୁ ଏବେ ଖୋଲା ବଜାରରେ ମିଳିବ କରୋନାର ଏହି 2 ଟୀକା | ଖୋଲା ବଜାରରେ କୋଭିଶିଲ୍ଡ ଏବଂ କୋଭାକ୍ସିନ ବିକ୍ରୟ ପାଇଁ ଡ୍ରଗ୍ସ ରେଗୁଲେଟର ଅଫ୍ ଇଣ୍ଡିଆ (DCGI) ଅନୁମତି ଦେଇଛି | ତେବେ ଔଷଧ ଦୋକାନରେ କରୋନା ଟିକା ଉପଲବ୍ଧ ହେବ ନାହିଁ | ଡିସିଜିଆଇର ସର୍ତ୍ତ ମୁତାବକ ଘରୋଇ ଡାକ୍ତରଖାନା ଏବଂ କ୍ଲିନିକରୁ ଲୋକେ ଏହି ଟିକା କିଣି ସେହିଠାରେ ଲଗାଇପାରିବେ | ନୂତନ ଡ୍ରଗ୍ ଏବଂ କ୍ଲିନିକାଲ୍ ଟ୍ରାଏଲ୍ ନିୟମ, 2019 ଅନୁଯାୟୀ ଏହି ଅନୁମୋଦନ ଦିଆଯାଇଛି | ଖୋଲା ବଜାରରେ ଟୀକା ବିକ୍ରୀକୁ ନେଇ ଡିସିଜିଆଇ କିଛି ସର୍ତ୍ତ ରଖିଛି | ଉକ୍ତ ସର୍ତ୍ତ ଅନୁଯାୟୀ, ସଂସ୍ଥାଗୁଡ଼ିକ ଚାଲୁଥିବା କ୍ଲିନିକାଲ୍ ପରୀକ୍ଷଣରୁ ତଥ୍ୟ ଦାଖଲ କରିବା ଏବଂ ଟୀକାକରଣ ପରେ ପ୍ରତିକୂଳ ପ୍ରଭାବ ଉପରେ ନଜର ରଖାଯିବା ଜରୁରୀ |
ଏହି ଟୀକାର ଗୋଟିଏ ଡୋଜ ପାଇଁ ଗ୍ରାହକଙ୍କୁ ମୂଳ ମୂଲ୍ୟ ୨୭୫ ଟଙ୍କା ସହ ଅତିରିକ୍ତ ସେବା ଶୁଳ୍କ ୧୫୦ ଟଙ୍କା ଦେବାକୁ ପଡିପାରେ ବୋଲି କୁହାଯାଇଛି । ସୂଚନାଥାଉ କି ଏପର୍ଯ୍ୟନ୍ତ ବେସରକାରୀ ମେଡିକାଲରେ କୋଭାକ୍ସିନର ମୂଲ୍ୟ ୧୨୦୦ ଟଙ୍କା ପ୍ରତି ଖୋରାକ ଓ କୋଭିସିଲ୍ଡର ପ୍ରତି ଖୋରାକର ମୂଲ୍ୟ ୭୮୦ ଟଙ୍କା ରହିଛି । ଏହା ମଧ୍ୟରେ ଅତିରିକ୍ତ ସେବା ଶୁଳ୍କ ମଧ୍ୟ ସାମିଲ ରହିଛି ।