ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୬.୦୨): ଦେଶରେ ୫୦ ଦିନରେ ୩୦ ମହାବଳ ବାଘଙ୍କ ମୃତ୍ୟୁ ହୋଇଛି। ୨୦୨୩ ଜାନୁଆରି ପହିଲାରୁ ଫେବ୍ରୁଆରି ୧୯ ମଧ୍ୟରେ ଏତେ ସଂଖ୍ୟକ ମହାବଳଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସରକାରଙ୍କ ଅଧୀନ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ(ଏନ୍ଟିସିଏ) ତଥ୍ୟରୁ ଜଣାପଡ଼ିଛି। ମାତ୍ର ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ସୋସାଇଟି ଅଫ୍ ଇଣ୍ଡିଆ(ଡବ୍ଲୁପିଏସ୍ଆଇ)ର ତଥ୍ୟ ଅଲଗା କହୁଛି। ୫୪ ଦିନରେ ୩୬ଟି ମହାବଳ ଓ ୯୯ଟି କଲରାପତରିଆଙ୍କର ମୃତ୍ୟୁ ହୋଇସାରିଛି। ଯଦି ଏହି ହାରରେ ବାଘ ମୃତ୍ୟୁ ଜାରି ରହେ; ତେବେ ବର୍ଷ ଶେଷ ବେଳକୁ ଦେଶରେ ମହାବଳଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇବ। ସରକାରୀ ଭାବେ ବାଘଙ୍କ ମୃତ୍ୟୁ ସଂଖ୍ୟା ନେଇ ଯେଉଁ ତଥ୍ୟ ଦିଆଯାଉଛି, ବେସରକାରୀ ଭାବେ ଏହା ଢେର୍ ଅଧିକ। ଗୋଟିଏ ପଟେ ୨୦୧୮ ବାଘ ଗଣନା ରିପୋର୍ଟ ଆଧାରରେ ସଂଖ୍ୟା ବୃଦ୍ଧି ପାଇଥିବା ନେଇ କେନ୍ଦ୍ର ସରକାର ଆତ୍ମସନ୍ତୋଷ ଲାଭ କରୁଥିବା ବେଳେ ଅନ୍ୟପଟେ ୫ବର୍ଷ ମଧ୍ୟରେ ୫୦୦ରୁ ଅଧିକ ବାଘଙ୍କ ମୃତ୍ୟୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି।
ଏନ୍ଟିସିଏ ପକ୍ଷରୁ ଆହୁରି କୁହାଯାଇଛି ଯେ ୨୦୧୨ରେ ଦେଶରେ ୮୮ଟି ମହାବଳ ବାଘଙ୍କର ମୃତ୍ୟୁ ହୋଇଥିବା ବେଳେ ଧୀରେ ଧୀରେ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୩ରେ ୬୮, ୨୦୧୪ରେ ୭୯, ୨୦୧୫ରେ ୮୨, ୨୦୧୬ରେ ୧୨୧, ୨୦୧୭ରେ ୧୧୬, ୨୦୧୮ରେ ୧୦୨, ୨୦୧୯ରେ ୯୫, ୨୦୨୦ରେ ୧୦୬, ୨୦୨୧ରେ ୧୨୭, ୨୦୨୨ରେ ୧୨୧ଟି ବାଘଙ୍କର ମୃତ୍ୟୁ ହୋଇଛି। ଅର୍ଥାତ ୨୦୧୨ରୁ ୨୦୨୨ ମଧ୍ୟରେ ଦେଶରେ ୧୧୦୫ଟି ବାଘଙ୍କର ମୃତ୍ୟୁ ହୋଇଛି। ୨୦୧୮ରୁ ଏପର୍ଯ୍ୟନ୍ତ ୫୮୧ ମହାବଳଙ୍କ ମୃତ୍ୟୁ ହୋଇଛି। ନିୟମ ଅନୁଯାୟୀ, ପ୍ରତି ୪ବର୍ଷରେ ବ୍ୟାଘ୍ର ଗଣନା ହେବା କଥା। ମାତ୍ର ଠିକ୍ ଭାବେ ଗଣନା ହେଉ ନ ଥିବାରୁ ବାଘଙ୍କ ସ୍ଥିତି ସମ୍ପର୍କରେ କୌଣସି ତଥ୍ୟ ସାମ୍ନାକୁ ଆସିପାରୁ ନାହିଁ। ୨୦୦୬ରେ ଦେଶରେ ୧୪୧୧ ଥିବା ବେଳେ ୨୦୧୦ରେ ୧୭୦୬, ୨୦୧୪ରେ ୨୨୨୬ ଓ ୨୦୧୮ ଗଣନା ବେଳେ ୨୯୬୭ଟି ମହାବଳ ଥିଲେ। ଏବେ କେତେ ମହାବଳ ଅଛନ୍ତି? ୫ବର୍ଷ ମଧ୍ୟରେ ବଢ଼ିଛନ୍ତି କି କମିଛନ୍ତି? ସେନେଇ କାହା ପାଖରେ ଖବର ନାହିଁ।
୨୦୧୮ ଗଣନାରେ ଓଡ଼ିଶାରେ ହାରାହାରି ୨୮ଟି ବାଘ ଥିଲେ। ଶିମିଳିପାଳରେ ସର୍ବାଧିକ ବାଘ ନଜରକୁ ଆସିଥିଲେ। ସାତକୋଶିଆ ସମେତ ଅନ୍ୟାନ୍ୟ ଜଙ୍ଗଲରେ ବାଘ ଦେଖାଯାଇଥିଲେ। ଇତିମଧ୍ୟରେ ସରକରୀ ଭାବେ ଦୁଇଟି ବାଘଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମାତ୍ର ଯେଉଁ ପରିମାଣର ବାଘ ଛାଲ ଜବତ ହେଉଛି ସଂଖ୍ୟା ବହୁତ ଅଧିକ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଠିକ୍ ସମୟରେ ବାଘମାନଙ୍କ ଗଣନା କରାଯାଉ ନଥିବାରୁ ଚିତ୍ର ସ୍ପଷ୍ଟ ହେଉନାହିଁ। ଇତିମଧ୍ୟରେ ଦେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ଦେଖାଦେବା ଶୁଭ ସଙ୍କେତ ବୋଲି କୁହାଯାଉଛି। ଯେଉଁଥିପାଇଁ ଦେବ୍ରିଗଡ଼ ଅଭୟାରଣ୍ୟ ଏବେ ବ୍ୟାଘ୍ର ଅଭୟାରଣ୍ୟ ମାନ୍ୟତା ପାଇବା ଦିଗରେ ଅଗ୍ରସର ହୋଇଛି।
ଏନ୍ଟିସିଏ ତଥ୍ୟ ଅନୁଯାୟୀ ଅନୁଯାୟୀ ୨୦୨୩ରେ ଏ ପର୍ଯ୍ୟନ୍ତ ମରିଥିବା ଶହେ ବାଘଙ୍କ ମଧ୍ୟରୁ ମଧ୍ୟପ୍ରଦେଶରେ ସର୍ବାଧିକ ୯ଟି ମହାବଳ ରହିଛନ୍ତି। ମହାରାଷ୍ଟ୍ରରେ ୭, କର୍ଣ୍ଣାଟକ ଓ ରାଜସ୍ଥାନରେ ୩ଟି ଲେଖାଏ ବାଘର ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡ, କେରଳ, ଆସାମ, ତାମିଲନାଡ଼ୁ, ଉତ୍ତର ପ୍ରଦେଶରେ ବି ବାଘଙ୍କର ମୃତ୍ୟୁ ହୋଇଛି। ତେବେ ଅଧାରୁ ଅଧିକ ଅର୍ଥାତ ୧୬ଟି ବାଘ ଅଭୟାରଣ୍ୟ ବାହାରେ ପ୍ରାଣ ହରାଇଛନ୍ତି। ଆଶ୍ବସ୍ତିକର ବିଷୟ ହେଉଛି ଯେ ଏପର୍ଯ୍ୟନ୍ତ ଓଡ଼ିଶାରେ ମହାବଳ ମୃତ୍ୟୁ ନେଇ ରିପୋର୍ଟ ହୋଇନାହିଁ। ଯେତେବେଳେ କି ୨୦୨୨ରେ ଓଡ଼ିଶାରେ ଦୁଇଟି ମହାବଳଙ୍କ ଜୀବନ ଯାଇଥିଲା। ତେବେ ଓଡ଼ିଶାରୁ ମହାବଳଙ୍କ ସଂଖ୍ୟା କମୁଥିବାରୁ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଏବେ କଲରାପତିରିଆଙ୍କ ଉପରେ ପଡ଼ିଛି। ୨୦୨୨ରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପାଖାପାଖି ୩୦ଟି ବାଘ ଛାଲ ଜବତ ହୋଇଛି।