ପୁରୀ: ପୁରୀରେ ନିର୍ବାଚନୀ ହିଂସା। ପୁରୀ ସଦର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ମରଣାନ୍ତକ ଆକ୍ରମଣ। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ନିଜ ସମର୍ଥକଙ୍କ ସହ ନିର୍ବାଚନ ପ୍ରଚାରରେ ଥିବାବେଳେ ଏହି ଘଟଣା ଘଟିଛି। ହଠାତ କିଛି ଯୁବକ ସଂଘବଦ୍ଧ ଭାବେ ଇଟା ଏବଂ କାଚ ବୋତଲରେ ଉମାବଲ୍ଲଭଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ତେବେ ଆକ୍ରମଣରେ ଉମା ଆହତ ହୋଇଥିବା ବେଳେ ତାଙ୍କ ସମର୍ଥକମାନେ ତାଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ, ସିଟି ଡିଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ ପୁରୀ ବିଧାନସଭା ଆସନ ପାଇଁ ପ୍ରଥମେ କଂଗ୍ରେସ ଦଳ ସୁଜିତ ମହାପାତ୍ର ଙ୍କୁ ଟିକେଟ ଦେଇଥିଲା। ସେ ନାମାଙ୍କନପତ୍ର ମଧ୍ୟ ଦାଖଲ କରିଥିଲେ। ତେବେ ତାଙ୍କ ଟିକେଟ କୁ ଦଳ ବାତିଲ୍ କରି ବରିଷ୍ଠ କଂଗ୍ରେସ ନେତା ଉମାବଲ୍ଲଭ ରଥଙ୍କୁ ପୁରୀ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ଘଟଣାକୁ ନେଇ ସୁଜିତ ଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହାର ପ୍ରତିବାଦରେ ସୁଜିତଙ୍କ ସମର୍ଥକ ପୁରୀ ଜିଲ୍ଲା କଂଗ୍ରେସ କାର୍ୟ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ତେବେ ଏହି ଘଟଣା ଘଟିବାର କିଛି ଘଣ୍ଟା ମଧ୍ୟରେ ଉମାବଲ୍ଲଭ ରଥଙ୍କୁ ଆକ୍ରମଣ କରାଯାଇଥିବାରୁ ଏହା ନିର୍ବାଚନ ହିଂସା ବୋଲି ଅନୁମାନ କରାଯାଉଛି। ଏହି ଘଟଣା ପଛରେ କାହାର ହାତ ରହିଛି ସେନେଇ ପୋଲିସ ଅନୁସନ୍ଧାନ କରି ଦୁର୍ବୁତ୍ତଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେଉ ବୋଲି ଉମାବଲ୍ଲଭ ଦାବି କରିଛନ୍ତି। ସେପଟେ ଘଟଣାର ଅନୁସନ୍ଧାନ କରାଯାଉଛି ବୋଲି କହିଛନ୍ତି ଅତିରିକ୍ତ ଏସପି। ଏନେଇ କୁମ୍ଭାରପଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଅତିରିକ୍ତ ଏସପି ଶୁଶିଲ ମିଶ୍ର କହିଛନ୍ତି।