ଆମ ପରିବର୍ତିତ ଜୀବନଶୈଳୀ ହେତୁ, ଆଜି ଆମେ ଅନେକ ପ୍ରକାର ରୋଗର ସମ୍ମୁଖୀନ ହେଉଛୁ । ତେବେ ମହିଳାମାନଙ୍କ ମଧ୍ୟରେ ଏପରି ଏକ ସମସ୍ୟା ହେଉଛି ପିସିଓଡି, ଯାହାକୁ ପଲିସିଷ୍ଟିକ ଓଭାରିଆନ୍ ଡିଜିଜ୍ କୁହାଯାଏ । ଏହି ରୋଗର ମୁଖ୍ୟ କାରଣ ଭୁଲ ଖାଇବା ଅଭ୍ୟାସ ଏବଂ ଖରାପ ଜୀବନଶୈଳୀ । ବର୍ତମାନ ସମୟରେ ମହିଳା ଏବଂ ଝିଅମାନଙ୍କ ମଧ୍ୟରେ ପିସିଓଡି ଅତ୍ୟନ୍ତ ସାଧାରଣ ରୋଗ ହୋଇଗଲାଣି । ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ୍ ହେଲଥ ଆଣ୍ଡ ରିସର୍ଚ୍ଚ ଅନୁଯାୟୀ ଆମ ଦେଶରେ ପ୍ରାୟ ୧୦ ପ୍ରତିଶତ ମହିଳା ଏହି ରୋଗରେ ପୀଡିତ ଅଛନ୍ତି ଏବଂ ଏହି ରୋଗର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।
ତେବେ ଆସନ୍ତୁ ଜାଣିବା ପିସିଓଡି କଣ ।
ପିସିଓଡି, ମହିଳା ମାନଙ୍କ ମଧ୍ୟରେ ଏକ ହରମୋନ ବ୍ୟାଧି ଅଟେ । ଯାହା ହରମୋନ ଅସନ୍ତୁଳନ ହେତୁ ଡିମ୍ବାଣୁରେ ଛୋଟ ସିଷ୍ଟସ ସୃଷ୍ଟି କରିଥାଏ । ଏହି କାରଣରୁ ମହିଳାମାନଙ୍କ ମଧ୍ୟରେ ବ୍ୟାଧ୍ୟକରଣ ଏବଂ ଅନିୟମିତ ଋତୁସ୍ରାବ ପରି ସମସ୍ୟା ଉପୁଜେ । ଏହି ସମସ୍ୟା ପ୍ରାୟତଃ ୧୪ରୁ ୪୫ ବର୍ଷ ବୟସର ମହିଳା ଓ ଝିଅ ମାନଙ୍କଠାରେ ଦେଖାଯାଏ ।
ଏବେ ଆସନ୍ତୁ ଜାଣିବା ପିସିଓଡିର କାରଣ କଣ ।
ଆଜିର ଦିନରେ ପିସିଓଡିର ସମସ୍ୟା ସାଧାରଣ ହେବାରେ ଲାଗିଛି । ଏବଂ ଖରାପ ଜୀବନଶୈଳୀ ଏହି ରୋଗର ମୁଖ୍ୟ କାରଣ । ତେବେ ଖାଲି ଖରାପ ଖାଦ୍ୟଭ୍ୟାସ ଏହି ରୋଗର କରାଣ ନୁହେଁ । ଏହା ପଛରେ ଆହୁରି ଅନେକ କାରଣ ରହିଛି । ଯେମିତିକି- ମେଦବହୁଳତା, ଅସ୍ୱାସ୍ଥ୍ୟକର ଜୀବନଶୈଳୀ, କମ ଶାରୀରିକ କାର୍ଯ୍ୟ, ଓଜନ ବୃଦ୍ଧି ହେବା ଓ ଜେନେଟିକ କାରଣ ମଧ୍ୟ ହୋଇପାରେ ।
ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ କଣ ରହିଥାଏ ।
ମୁହଁରେ ବ୍ରଣ ହେବା । ଚର୍ମ ଧିରେ ଧିରେ କଳା ପଡିବା । ଅଚାନକ ଋତୁସ୍ରାବ ଠିକ ଭାବେ ନହେବା ଏବଂ କୌଣସି କୌଣସି ସମୟରେ ଅତ୍ୟଧିକ ଭାବେ ରକ୍ତସ୍ରାବ ହେବା ଏହାର ମୁଖ୍ୟ ଲକ୍ଷଣ । ପିସିଓଡି ପୀଡିତା ମାନଙ୍କ ମଧ୍ୟରେ ନିଦ୍ରା ଅଭାବ , ମୁଣ୍ଡରୁ ଚୁଟି ଝଡିବା, ମୁଣ୍ଡ ବିନ୍ଧିବା ଏବଂ ଅନ୍ୟ ଅଙ୍ଗରେ କେଶ ବୃଦ୍ଧି ହେବା ମଧ୍ୟ ଦେଖା ଯାଇ ଥାଏ ।
ତେବେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ସର୍ବ ପ୍ରଥମେ ଜୀବନଶୈଳୀ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ । ଶାଗ, ପନିପରିବା, ଓ ଫଳ ଇତ୍ୟାଦି ପ୍ରତ୍ୟେକଦିନ ଖାଇବାକୁ ହେବ । ଓଜନକୁ ନିୟନ୍ତ୍ରଣ କରିବାକୁ ପଡିବ ଓ ପ୍ରତ୍ୟେକ ଦିନ ଘଂଟାଏ ଚାଲିବାକୁ ପଡିବ । ବାହାର ଜଙ୍କ ଫୁଡଠାରୁ ଦୂରେଇ ରହିବାକୁ ହେବ । ଓ ମଇଦା, ଚିନି , ସୁଜି ଠାରୁ ଦୂରେଇ ରହିବାକୁ ପଡିବ ।