ମା ଜଣେ ସଫେଇ କର୍ମଚାରୀ | ବାପା ଦିନ ମଜୁରିଆ | ନିଜେ ମଧ୍ୟ ମୋବାଇଲ୍ ମରାମତି ଦୋକାନରେ କାର୍ଯ୍ୟ କରୁଥିବା ଜଣେ ସାମାନ୍ୟ ବ୍ୟକ୍ତି | ନାଁ ତାଙ୍କର ଲାଭ ସିଂ ଉଗୋକେ | ଦିନେ ଏହି ସାମାନ୍ୟ ବ୍ୟକ୍ତିଙ୍କ ବିଷୟରେ କେହି ବି ଜାଣି ନଥିଲେ | କିନ୍ତୁ ଆଜି ଖାଲି ପଞ୍ଜାବ ନୁହେଁ ସମଗ୍ର ଦେଶରେ ତାଙ୍କୁ ନେଇ ବେଶ ଚର୍ଚ୍ଚା | କାରଣ ଜଣେ ସାମାନ୍ୟ ବ୍ୟକ୍ତି ଲାଭ ସିଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କୁ ହରାଇବାରେ ହୋଇପାରିଛନ୍ତି ସଫଳ | ଆମ ଆଦମୀ ପାର୍ଟିର ପ୍ରାର୍ଥୀ ଲାଭ ସିଂ ୩୭,୫୫୮ ଭୋଟ ବ୍ୟବଧାନରେ ଚନ୍ନିଙ୍କୁ କରିଛନ୍ତି ପରାଜିତ |
ଚାଲନ୍ତୁ ଜାଣିବା ଲାଭ ସିଂ ପରିବାର ବିଷୟରେ | ପଞ୍ଜାବର ଭଦୌର ବିଧାନସଭା ଆସନରୁ ଚନ୍ନିଙ୍କୁ ହରାଇଥିବା ଲାଭ ସିଂ ପଞ୍ଜାବର ଏକ ମୋବାଇଲ୍ ମରାମତି ଦୋକାନରେ କାମ କରନ୍ତି। ଖାଲି ଏତିକି ନୁହେଁ, ତାଙ୍କ ମା ଏକ ସରକାରୀ ବିଦ୍ୟାଳୟରେ ସୁଇପର ଭାବରେ କାମ କରନ୍ତି। ବାପା କ୍ଷେତରେ ଦିନ ମଜୁରିଆ କାମ କରନ୍ତି |
ଏବେ ଆସନ୍ତୁ ଜାଣିବା ଲାଭ ସିଂଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବିଷୟରେ | ନିର୍ବାଚନ ଆଫିଡେଭିଟ୍ରେ ତାଙ୍କ ସମ୍ପତ୍ତି ଭାବେ ଲାଭ ସିଂ ପ୍ରାୟ ୮ ବର୍ଷ ପୂର୍ବେ କିଣିଥିବା ଏକ ହିରୋ ହୋଣ୍ଡା ମୋଟରସାଇକେଲକୁ ଉଲ୍ଲେଖ କରିଛନ୍ତି। ଜଣେ ସାଧାରଣ ଲୋକ ଭାବନ୍ତି ସେ ଦେଶ ପାଇଁ କଣ କରିପାରିବେ | କିନ୍ତୁ ଯଦି ସେ ଚାହାଁନ୍ତି, ଜଣେ ସାଧାରଣ ଲୋକ କିଛି ବି କରିପାରିବେ | ଏହାର ଉଦାହରଣ ଲାଭ ସିଂ ବୋଲି ପଞ୍ଜାବରେ ଆମ ଆଦମୀ ପାର୍ଟିର ସଫଳତା ପରେ ଦଳ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି |