ନୂଆଦିଲ୍ଲୀ,୦୬.୦୪.୨୦୨୩ (ଏନଏନଏସ ଓଡ଼ିଆ) : ପଦ୍ମ ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି । ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ତିନି ଜଣ ବ୍ୟକ୍ତି ବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତା’ମଧ୍ୟରେ ରହିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ । ରଙ୍ଗବତୀ ଗୀତର ମୂଳ ଗାୟିକା କ୍ରିଷ୍ଣା ପଟେଲଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ସେହିପରି କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ପଟ୍ଟାୟତ ସାହୁଙ୍କୁ ଆଜି ବିଧିବଦ୍ଧ ଭାବେ ଦିଆଯାଇଛି ପଦ୍ମଶ୍ରୀ ପୁରସ୍କାର । ଲୁପ୍ତ ହେବାକୁ ବସିଥିବା ବହୁ ପାରମ୍ପାରିକ ଔଷଧୀୟ ବୃକ୍ଷରାଜିକୁ ସଂରକ୍ଷଣ କରି ଚର୍ଚ୍ଚାକୁ ଆସିଥିଲେ କଳାହାଣ୍ଡି ଜୁନାଗଡ଼ ଅଞ୍ଚଳର ପଟ୍ଟାୟତ ସାହୁ । ଶ୍ରୀଯୁକ୍ତ ପଟାୟତ, ଔଷଧୀୟ ବୃକ୍ଷ ରୋପଣ ଏବଂ ୩୫୦ ପ୍ରକାର ଔଷଧୀୟ ବୃକ୍ଷ ଚିହ୍ନଟ କରି ଲୋକପ୍ରିୟ ହୋଇପାରିଛନ୍ତି । ସେପଟେ ସାହିତ୍ୟ ଓ ଶିକ୍ଷା ପାଇଁ ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମଧ୍ୟ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।