ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ। ଲଗାତାର ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଯୋଗୀ ଆଦିତ୍ୟନାଥ । ଆରମ୍ଭ କରିଛନ୍ତି ତାଙ୍କର ଦ୍ୱିତୀୟ ଇନିଂସ ସରକାର | ଲକ୍ଷ୍ମୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଯୋଗୀ । ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କରାଇଛନ୍ତି ପଦ ଓ ଗୋପନୀୟତାର ଶପଥପାଠ । ଯୋଗୀଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ ଭାବେ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ ଶପଥଗ୍ରହଣ କରିଛନ୍ତି । ଏହି ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ରାଜନାଥ ସିଂହ, ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପିର ବଡ ବଡ ନେତାଙ୍କ ସହ ଅନେକ ଶିଳ୍ପପତି ମଧ୍ୟ ସାମିଲ ହୋଇଥିଲେ ।
ଯୋଗୀ ୩୭ ବର୍ଷ ମଧ୍ୟରେ ପ୍ରଥମ ରାଜନେତା ଯିଏ ୫ ବର୍ଷ ଶାସନ କାଳ ପୂରଣ କରିବା ପରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। ତେବେ ଯୋଗୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ଆଉ ୫୨ ଜଣ ମଧ୍ୟ ନେଇଛନ୍ତି ଶପଥ । ଏମାନଙ୍କ ମଧ୍ୟରୁ ୧୮ ଜଣ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି। ସେହିପରି ଯୋଗୀଙ୍କ ନୂଆ ଟିମ୍ରେ ୫ ଜଣ ମହିଳା ରହିଛନ୍ତି| ତେବେ ଯୋଗୀ କ୍ୟାବିନେଟ୍ ୨.୦ ରେ ଅନେକ ନୂତନ ଚେହେରା ମଧ୍ୟ ସାମିଲ କରାଯାଇଛି ଏବଂ ଅନେକ ପୁରୁଣା ଲୋକଙ୍କୁ ଭରସା କରାଯାଇଛି |