ପୁରା ଦୁନିଆ ସାମ୍ନାରେ ପାକିସ୍ତାନ ଯେତେ ବଡବଡ କଥା କହୁଥିଲେ ମଧ୍ୟ ପାକିସ୍ତାନର ଗରିବୀ ଏବଂ ଆର୍ଥିକ ଦୁରାବସ୍ଥା କାହାକୁ ବି ଅଛପା ନାହିଁ । ବାରମ୍ବାର ଭାରତ ସହ ମୁକାବିଲା କରିବାର ଭୁଲ କରୁଥିବା ପାକିସ୍ତାନ ଏବେ ପୁଣିଥରେ ଦୁନିଆ ଆଗରେ ନିଜ ଔକାତ ଦେଖାଇଛି । ତେବେ କେବଳ ଭାରତର ଟାଟା ଗ୍ରୁପ ସାମ୍ନାରେ ପୁରା ପାକିସ୍ତାନର ଅର୍ଥ ବ୍ୟବସ୍ଥା ଆଣ୍ଠେଇ ପଡିଛି । ଟାଟା ଗ୍ରୁପର ର୍ମାେକଟ କ୍ୟାପିଟାଲାଇଜେସନ ୩୬୫ ଆରବ ଡଲାରରେ ପହଂଚିଛି । ଯାହା କି ପୁରା ପାକିସ୍ତାନର ଜିଡିପି ଠାରୁ ମଧ୍ୟ ଅଧିକ ଅଟେ । ଟାଟା ଗ୍ରୁପର ବଜାର ପୁଞ୍ଜି ବା ମାର୍କେଟ କ୍ୟାପିଟାଲାଇଜେସନ ୩୬୫ ବିଲିୟନ ଡଲାର ଥିବା ବେଳେ ପୁରା ପାକିସ୍ତାନର ଜିଡିପି ୩୪୧ ବିଲିୟନ ଡଲାର ରହିଛି । ଯାହାକୁ ନେଇ କେବଳ ଭାରତ ନୁହେଁ, ପୁରା ଦୁନିଆ ପାକିସ୍ତାନକୁ ଥଟ୍ଟା କରୁଥିବା ବେଳେ ଖୋଦ ପାକିସ୍ତାନର ମିଡିଆ ମଧ୍ୟ ଏହାକୁ ନେଇ ନିଜ ଦେଶକୁ ଥଟ୍ଟା କରିବାକୁ ମଧ୍ୟ ପଛାଉ ନାହାନ୍ତି । ଛୋଟରୁ ବଡ ସମସ୍ତ ମିଡିଆ ପାକିସ୍ତାନ ଓ ଟାଟା ଗ୍ରୁପର ଜିଡିପିକୁ ନେଇ ନିଜ ଦେଶର ମିଡିଆରେ ହିଁ ତାଚ୍ଛଲ୍ୟ କରି ଚାଲିଛନ୍ତି । କିଏ ପାକିସ୍ତାନର ଜିଡିପିକୁ ଟାଟା କମ୍ପାନୀର ବଜାର ପୁଞ୍ଜି ସହିତ ତୁଳନା କରୁଛି ତ ଆଉ କିଏ କହୁଛି କି ଭାରତର କେବଳ ଗୋଟିଏ କମ୍ପାନୀ ହିଁ ପୁରା ପାକିସ୍ତାନକୁ କିଣିନେଇ ପାରିବ । ତେବେ ଏନେଇ କେବଳ ପାକିସ୍ତାନ ନୁହେଁ, ବରଂ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଥିବା ବେଳେ ପାକିସ୍ତାନର ନେତାମାନେ କିନ୍ତୁ ନିଜ ନିଜର ପତିଆରା ଏବଂ ଗାଦି ସମ୍ଭାଳିବାରେ ବ୍ୟସ୍ତ । ତେବେ ପାକିସ୍ତାନର ଏଭଳି ଦୁରାବସ୍ଥା କେବେ ଶେଷ ହେବ ଏବଂ କେବେ ପାକିସ୍ତାନର ବିକାଶ ତଥା ଏହାର ଜିଡିପି ବୃଦ୍ଧି ପାଇବ ତାହା ସମୟ କହିବ ।