ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ। ନିମିଶକ ମଧ୍ୟରେ ଜଳିପୋଡି ପାଉଁଶ ହୋଇଯାଇଛି ମୂଲ୍ୟବାନ ବୃକ୍ଷରାଜି। ଫଳରେ ଅସ୍ବାଭାବିକ ଭାବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲ ନିଆଁରୁ ନିସ୍ତାର ପାଉନାହାଁନ୍ତି ବନ୍ୟଜନ୍ତୁ ।
ସବୁଜ ବଣ ପାହାଡ଼ ପରିବେଷ୍ଟିତ ଦେବଗଡ଼ ଜିଲ୍ଲାରେ ରହିଛି୨ ଲକ୍ଷ ୨୧ ହଜାର ୨୩୬ ହେକ୍ଟର ଜଙ୍ଗଲ । ଏହି ଜଙ୍ଗଲ ସମ୍ପଦ ଜିଲ୍ଲାର ଏକ ସ୍ବତନ୍ତ୍ର ପରିଚୟ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଜଙ୍ଗଲ ଉପରେ ଜିଲ୍ଲାର ଅଧିକାଂଶ ଜନସାଧାରଣ ନିର୍ଭରଶୀଳ । ମାତ୍ର ଗତ ମାର୍ଚ୍ଚ ମାସ ଠାରୁ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ଜଳି ପୋଡି ପାଉଁଶ ହୋଇଯାଉଛି ଲକ୍ଷ ଲକ୍ଷ ମୂଲ୍ୟବାନ ବୃକ୍ଷଲତା । ଯାହା ପରିବେଶ ସୁରକ୍ଷା ଓ ଜନସାଧାରଣଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।ଜଙ୍ଗଲରେ ନିଆଁ ଲାଗିବାରୁ ଜିଲ୍ଲାର ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରଚଣ୍ଡ ଖରା ଓ ଜଙ୍ଗଲ ନିଆଁ ସାଙ୍ଗକୁ ସବୁଠି ଧୂଆଁମୟ ପରିବେଶରେ ଅତିଷ୍ଠ ହୋଇପଡ଼ିଛନ୍ତି ଜିଲ୍ଲାବାସୀ । କେତେକ ଅଞ୍ଚଳରେ ମହୁଲଫୁଲ ଓ କେନ୍ଦୁପତ୍ର ସଂଗ୍ରହ କରିବାକୁ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ବେଳେ, ଆଉ କେତେକ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଦୁର୍ବୃତ୍ତ ମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା କୁହାଯାଉଛି।
ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ନିଆଁ ଲାଗିବା ଘଟଣା ବନ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଜଙ୍ଗଲ ନିଆଁକୁ ରୋକିବା କ୍ଷେତ୍ରରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଥିବା ସତ୍ତ୍ବେ ଦେବଗଡ଼ ବନବିଭାଗ ସମ୍ପୂର୍ଣ୍ଣ ରୂପେ ଫେଲ ମାରିଛି । ଯାହାକି ଜିଲ୍ଲାର ପ୍ରକୃତି ପ୍ରେମୀ ଓ ପରିବେଶ ବିତଙ୍କୁ ବ୍ୟଥିତ କରିଛି । ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରାନଗଲେ ଆଗାମୀ ଦିନରେ ଜିଲ୍ଲାରୁ ଜଙ୍ଗଲ ସମ୍ପଦ ଯେ ସମ୍ପୂର୍ଣ୍ଣ ଲୋପ ପାଇଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଚି।