ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ । ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହୁଏ । ଏହି ଦିନ ସନ୍ଧ୍ୟା ଆଳତି ବେଶରେ ମାଳଚୂଳମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁର ମାନଙ୍କୁ ଲାଗି କରାଯାଇଥାଏ । ବଡ଼ସିଂହାର ବେଶରେ ସୋଲ ଓ ଜରି, କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର, ହଳ, ମୁଷକ,କୁଣ୍ଡଳ ଡଡଗୀ ଇତ୍ୟାଦି ଜଗନ୍ନାଥ ,ବଳଭଦ୍ର ଓ ସୁଭଦ୍ରାଙ୍କୁ ଲାଗି କରାଯାଇଥାଏ । ଏହି ବେଶରେ ଦୁଇ ଭାଇ ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ, ଚକ୍ର, ହଳ, ମୁଷକ ଇତ୍ୟାଦି ଧାରଣ କରିଥାନ୍ତି । ଏହି ବେଶ ନବାଙ୍କ ବେଶ ରୂପେ ପରିଚିତ । ଏହି ବେଶର ପ୍ରବର୍ତ୍ତକ ହେଉଛନ୍ତି ଶ୍ରୀ ଚୈତନ୍ୟ ଦେବ । ପୂର୍ବେ ଏହି ବେଶର ସାମଗ୍ରୀ ଦକ୍ଷିଣ ପାର୍ଶ୍ବ ମଠ ଯୋଗାଇ ଆସୁଥିଲେ । ଗତ କିଛି ବର୍ଷ ଧରି ସଂପୃକ୍ତ ମଠ ବେଶ ସାମଗ୍ରୀ ଯୋଗାଉ ନଥିବା ଜଣାପଡିଛି । ସଂପ୍ରତି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ବେଶର ସମସ୍ତ ଖର୍ଚ୍ଚ ବହନ କରାଯାଉଛି। ନବାଙ୍କ ବେଶରେ ଠାକୁରମାନଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁଫୁଲର ମାଳରେ ସୁସଜ୍ଜିତ କରାଯାଏ । ବଡ଼ସିଂହାର ବେଶରେ ଦେବତାମାନଙ୍କୁ ଅଳଙ୍କୃତ କରୁଥିବା ଚିତା, ଗୁଣା, କରପଲ୍ଲବ, ଅଧରମାଳା ଓ ଶ୍ରୀପୟର ମାଳା ମଧ୍ୟ ପ୍ରଧାନତଃ ଗେଣ୍ଡୁ ଫୁଲରେ ନିର୍ମିତ ହୋଇଥାଏ । ହୃଦ ପଦକରେ ଗେଣ୍ଡୁ ଫୁଲ ସହିତ ଗୋଲାପ ଫୁଲର ସମ୍ମିଶ୍ରଣ ଘଟିଥାଏ । ସାଧାରଣ ଦିନମାନଙ୍କରେ ଚାରି ପାଞ୍ଚଟି ମାଳ ଲାଗୁଥିଲେ ମଧ୍ୟ ନବାଙ୍କ ବେଶ ଦିନ ଦଶ ପନ୍ଦରଟି ମାଳ ଲାଗିହୁଏ । ଏହି ଦିନ ଲାଗୁଥିବା ଶିର ଭୂଷଣ ଓ ଟୋପରଗୁଡିକ ତୁଳସୀପତ୍ରରେ ପ୍ରସ୍ତୁତ ହୋଇଥାଏ ଏବଂ ସେହି ଟୋପର ଉପରେ ଗେଣ୍ଡୁଫୁଲର ମାଳା ଗୁଡା ଯାଇଥାଏ….