ଭାଇଚାର ଓ ସଦଭାବନାର ଉତ୍ସବ ସାହିଯାତ୍ରା । ବିଶ୍ୱାସ ଓ ଆସ୍ଥାର ପ୍ରତୀକ ଭାବେ କାହିଁ କେଉଁକାଳରୁ ଏହି ପ୍ରସିଦ୍ଧ ସାହିଯାତ୍ରା ପାଳିତ ହୋଇଆସୁଛି । କଟକ ଜିଲ୍ଲା ଟାଙ୍ଗୀ ସାଲେପୁର ନିର୍ବାଚନମଣ୍ଡଳୀର ଘଣ୍ଟିମୁଣ୍ଡାଠାରେ ନିଆରା ଢଙ୍ଗରେ ପାଳନ ହୁଏ ଏହି ଯାତ୍ରା । ପ୍ରାୟ ଶହେ ବର୍ଷରୁ ଉର୍ଦ୍ଧ୍ବ ହେବ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଅଛି। ଚାରୋଟି ସାହିର ଲୋକେ ଏକତ୍ରିତ ହୋଇ ଏହି ନିଆରା ଉତ୍ସବ ପାଳନ କରିଥାନ୍ତି । ଏହି ଯାତ୍ରାରେ ବୟସ୍କଙ୍କଠାରୁ ଆରମ୍ଭ କରି ଯୁବକ ଓ ପିଲାମାନେ ମଧ୍ୟ ଭାଗନେଇଥାନ୍ତି।ଯେଉଁମାନେ ଏଥିରେ ଭାଗନେଅନ୍ତି ସେମାନଙ୍କୁ ଗୋଟେ ମାସ ପୂର୍ବରୁ ଅରୁଆ ଖାଇ ଭକ୍ତି ଓ ନିଷ୍ଠାର ସହିତ ରହିବାକୁ ପଡେ। ଏଥିରେ ନାଗା ବାବା ଓ ମହାବୀର, ଦୁର୍ଗା ଓ କାଳୀ ମେଢ଼ ବାହାରି ସାହି ପରିକ୍ରମା କରାଯାଏ। ବାଦ୍ୟ ଓ ଘଣ୍ଟର ତାଳେ ତାଳେ ସେମାନେ ନିଷ୍ଠାର ସହ ନୃତ୍ୟ ପରିବେଷଣ କରନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଯଦି କୌଣସି କାରଣରୁ ଯାତ୍ରା ବନ୍ଦ କରାଯାଏ, ମା କାଳି ନିଜେ ଆସି ପିଲାମାନଙ୍କ ସହ ଖେଳିବା ନଜିର ରହିଛି । ପ୍ରତିବର୍ଷ ଏହି ଯାତ୍ରା କାର୍ତ୍ତିକପୂର୍ଣ୍ଣିମା ଦିନ ହୋଇଥାଏ । କିନ୍ତୁ ଚଳିତବର୍ଷ କୋଭିଡ କଟକଣା ଯୋଗୁ ଏହା ଗତ ଶନିବାର ଦିନ ଆରମ୍ଭ ହୋଇଛି। ଘଣ୍ଟିମୁଣ୍ଡା ଗ୍ରାମ କଂସା ବାସନ ପାଇଁ ସାରା ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏବେ ସାହିଯାତ୍ରାକୁ ନେଇ ପ୍ରସିଦ୍ଧି ଲାଭ କରିଛି। ଗ୍ରାମବାସୀଙ୍କ ବିଶ୍ୱାସ ରହିଛି ଯେ, ଏହି ଯାତ୍ରା ଯେତେବେଳେ ସାହି ପରିକ୍ରମା କରି ଶେଷ ହୁଏ ସାହିର ସମସ୍ତଙ୍କ ମନୋବାଞ୍ଛା ପୂର୍ଣହୁଏ। ଗତବର୍ଷ କୋଭିଡ କଟକଣା ପାଇଁ ବନ୍ଦ ରହିଥିବାବେଳେ ଚଳିତ ବର୍ଷ ବିଳମ୍ବରେ ହେଉ ପଛେ ଅନୁଷ୍ଠିତ ହୋଇଥିବାରୁ ଆୟୋଜକ ଖୁସିବ୍ୟକ୍ତ କରିଛନ୍ତି।